ଗଞ୍ଜେଇ ଗାଡ଼ିର ପିଛା କରୁଥିବାବେଳେ ପୋଲ ତଳକୁ ଖସିଗଲା ପୁଲିସ ଗାଡ଼ି, ଆଇଆଇସି ଗୁରୁତର

କନ୍ଧମାଳ,ଏନ୍ଏନ୍ଏସ୍: ରାଇକିଆ ଥାନା ପୁଲିସ ସୋମବାର ଏକ ଚୋରା ଗଞ୍ଜେଇ ନେଇଯାଉଥିବା ଗାଡ଼ିକୁ ପିଛା କରୁଥିବା ବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଛି। ଏଥିରେ ଥାନାର ଆଇଆଇସି ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଏକ ଧଳା ରଙ୍ଗର କାରରେ ଗଞ୍ଜେଇ ଚାଲାଣ ହେଉଥିବା ଜାଣିବା ପରେ ପୁଲିସ ଉକ୍ତ ଗାଡ଼ିର ପିଛା କରିଥିଲା। ଏହି ସମୟରେ ପିଛାମଣ୍ଡାକିଆ ନିକଟରେ ଥିବା ଏକ ବ୍ରିଜରେ ଗଞ୍ଜେଇ ଭର୍ତ୍ତି ଗାଡ଼ିକୁ ଅତିକ୍ରମ ପାଇଁ ଉଦ୍ୟମ କରୁଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡ଼ିଥିଲା।

ଏହି ସମୟରେ ଗାଡ଼ିରେ ବସିଥିବା ରାଇକିଆ ଥାନା ଅଧିକାରୀ ଅଲେଖଗରଡ଼ିଆ ଏବଂ ଡ୍ରାଇଭର ଆର୍ଯ୍ୟଦେବ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି। ସେହିପରି ଗାଡ଼ିରେ ବସିଥିବା ଅନ୍ୟ ଦୁଇହୋମଗାର୍ଡ଼ ସାମାନ୍ୟ ଆହତ ହୋଇ ଚିକିତ୍ସା ପାଇଁ ରାଇକିଆ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଅନ୍ୟପଟେ ଦୁର୍ବୃତ୍ତମାନେ ଗଞ୍ଜେଇ  ଭର୍ତ୍ତି ଗାଡ଼ିକୁ ସେଠାରେ ଛାଡ଼ି ଫେରାର ହୋଇଯାଇଥିଲେ।