ଦେବଗଡ଼ ଜିଲ୍ଲା କୃଷକଙ୍କୁ ଧାରଣାରୁ ଉଠାଇ ନେଲା ପୁଲିସ

ଦେବଗଡ଼,ଏନ୍ଏନ୍ଏସ୍: ଏକର ପ୍ରତି ଧାନ ସଂଗ୍ରହ ଲକ୍ଷକୁ ବୃଦ୍ଦି କରିବା ସହ ଟୋକନ ସମସ୍ୟାର ସମାଧାନ ସରକାର କରିପାରୁ ନଥିବାରୁ ଏହାର ପ୍ରତିବାଦରେ ଆଜି ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତି ଆହ୍ୱାନରେ ଦେବଗଡ଼ ଜିଲ୍ଲା କୃଷକ ସଂଘ ପକ୍ଷରୁ ରାସ୍ତାରୋକ ହୋଇଥିଲା। ଜିଲ୍ଲା କୃଷକ ସଂଘ ସଭାପତି ପ୍ରମୋଦ କୁମାର ଝାଙ୍କରଙ୍କ ନେତୃତ୍ୱରେ ଆଜି ପୂର୍ବାହ୍ଣରେ ପୁରୁଣାଗଡ଼ ସ୍ଥିତ ରିଆମାଳ ଛକଠାରେ ଜାତୀୟ ରାଜପଥ ଅବରୋଧ ହୋଇଥିଲେ।

ଚାଷୀ ରାସ୍ତାରେ ଧାନ ବସ୍ତା ରଖି ବିଭିନ୍ନ ସ୍ଲୋଗାନ ଦେବା ସହ ଚାଷୀଙ୍କୁ ଏକର ପ୍ରତି ୧୩-୨୦ କୁଇଣ୍ଟାଲ ଧାନ ସଂଗ୍ରହ, ଜିଲ୍ଲା ସ୍ତରରେ ଟୋକନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦାବିରେ ଜାତୀୟ ରାଜପଥ ଉପରେ ଅବରୋଧ କରିଥିଲେ। ତେବେ ପୁଲିସ ଆନ୍ଦୋଳନକାରୀ ଚାଷୀମାନଙ୍କୁ ସେଠାରୁ ଉଠାଇ ନେବା ପରେ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା। ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପରେ ତାଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦିଆଯାଇଛି। ଏହି ଚାଷୀ ଆନ୍ଦୋଳନରେ ଜିଲ୍ଲା କୃଷକ ସଂଘର ସମ୍ପାଦକ ଯଯାତି କେଶରୀ ବିଶ୍ୱାଳ, ପ୍ରମୋଦ କୁମାର ନାୟକଙ୍କ ସମେତ ବହୁ ଚାଷୀ ସାମିଲ ଥିଲେ।