ବାହାଘର ଭୋଜି ବନ୍ଦ କଲା ପୁଲିସ : ଅମାନିଆ କନ୍ୟାପିତାଙ୍କୁ ୧ଲକ୍ଷ ଟଙ୍କା ଜୋରିମାନା

ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ଥାନା ଅନ୍ତର୍ଗତ ପୁରୁଣାଗଡ଼ଠାରେ କୋଭିଡ ନିୟମ ଉଲ୍ଲଂଘନ କରି ବାହାଘର ଭୋଜିଭାତ ଆୟୋଜନ କରିଥିବା ଜଣେ କନ୍ୟାପିତାଙ୍କଠାରୁ ଆଜି ଦେବଗଡ଼ ଥାନା ପୁଲିସ ୧ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଛି। ମିଳିଥିବା ରିପୋର୍ଟ ମୁତାବିକ, ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଗଡ଼ଠାରେ ଦେବଗଡ଼ ପୌରପରିଷଦରେ କାର୍ୟ୍ୟରତ ଟେକ୍ସ କଲେକ୍ଟର ସୂର୍ୟ୍ୟ କୁମାର ସାହୁ ତାଙ୍କ ଝିଅର ବିବାହ ତାରିଖ ଧାର୍ୟ୍ୟ କରିଥିଲେ। ବିବାହ ପୂର୍ବରୁ ନିୟମାନୁଯାୟୀ ଥାନାରୁ ୫୦ଜଣ ଲୋକଙ୍କୁ ବିବାହରେ ସାମିଲ ପାଇଁ ଅନୁମତି ଆଣିବା ସହ ଅନୁମତିପ୍ରାପ୍ତ ବ୍ୟକ୍ତିଙ୍କ ନାମ ତାଲିକା ବିବାହ ମଣ୍ଡପରେ ଝୁଲାଇବା ପାଇଁ ପୁଲିସକୁ ସମ୍ମତି ଜଣାଇଥିଲେ। ମାତ୍ର ଆଜି ବିବାହ ପୂର୍ବରୁ ସୂର୍ୟ୍ୟ ନିଜ ଘରେ ୨୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ କରିବା ସହ ବିବାହ ମଣ୍ଡପରେ ସାମିଲ ବ୍ୟକ୍ତିଙ୍କ ନାମ ତାଲିକା ମଧ୍ୟ ଝୁଲାଇନଥିଲେ। ଏନେଇ ଦେବଗଡ଼ ଥାନା ପୁଲିସକୁ ସୂଚନା ମିଳିବା ପରେ ଆଜି ଦିନ ପ୍ରାୟ ଗୋଟାଏ ବେଳେ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସବଇନ୍ସପେକ୍ଟର ପ୍ରତାପ ମଣ୍ଟୁ ଦଳେଇ ସଦଳବଳେ ଉକ୍ତ ସ୍ଥାନରେ ପହଂଚି ଯାଞ୍ଚ ଆରମ୍ଭ କରିଥିଲେ। ଯାଞ୍ଚବେଳେ ସୂର୍ୟ୍ୟ କୋଭିଡ ଗାଇଡ଼ଲାଇନ ଉଲଂଘନ କରି ୨୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ରନ୍ଧାରାନ୍ଧି କରି ସାମାଜିକ ଦୂରତ୍ୱ ରକ୍ଷା ନକରି ଖାଇବାକୁ ଦେଉଥିବା ଏବଂ ପୁଲିସ ପକ୍ଷରୁ ପାଳନ ପାଇଁ ଦିଆଯାଇଥିବା ନିର୍ଦ୍ଦେଶ ପାଳନ କରିନଥିବା ଦେଖିବାକୁ ପାଇଥିଲେ। ଫଳରେ ପୁଲିସ ରନ୍ଧା ଖାଦ୍ୟ ଜବତ କରିବା ସହ କୋଭିଡ ଆଇନ ଉଲ୍ଲଂଘନ କରି ଜନଗହଳି କରୁଥିବା ଅଭିଯୋଗରେ ଏକ ମାମଲା ରୁଜୁ କରିବା ସହ ଅମାନିଆ କନ୍ୟାପିତାଙ୍କଠାରୁ ୧ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଏସଡ଼ିପିଓ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।