ଯୋଡ଼ା,ଏନ୍ଏନ୍ଏସ୍: ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡିର କନ୍ଦଳ ସେତିକି ପଦାରେ ପଡୁଥିବା ଦେଖିବାକୁ ମିଳିଛି। ଶାସକ ବିଜେଡି ହିଁ ବିଜେଡିର ସବୁଠାରୁ ବଡ ଶତ୍ରୁ ସାଜିଛି। ଚମ୍ପୁଆରେ ବିଜେଡି ବିଜେଡି ଲଢ଼େଇ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ପୂର୍ବତନ ବିଧାୟକ ସନାତନ ମହାକୁଡ ଏବଂ ବର୍ତ୍ତମାନର ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ମଧ୍ୟରେ ବିବାଦ ତୀବ୍ରତର ହେବାରେ ଲାଗିଛି। ସନାତନଙ୍କୁ ବିଜେଡି ଦଳ ପ୍ରାର୍ଥୀମାନଙ୍କ ଚୟନ ଦାୟିତ୍ୱ ହସ୍ତାନ୍ତର କରିଥିବା ବେଳେ ମିନାକ୍ଷୀ ସନାତନଙ୍କ ପ୍ରାର୍ଥୀମାନଙ୍କୁ ପ୍ରଚାରରେ ସହଯୋଗ କରୁନଥିବା ଜଣାପଡିଛି।
କେବଳ ଜିଲ୍ଲା ପରିଷଦ ମାନଙ୍କୁ ଦଳିୟ ଚିହ୍ନ ମିଳିଥିବା ବେଳେ ସନାତନଙ୍କ ପତିଆରା ହ୍ରାସ କରିବାକୁ ମିନାକ୍ଷୀ ବିଭିନ୍ନ ପ୍ରକାରରେ ପୁଲିସ ବଳକୁ ହାତବାରିସି କରୁଥିବା ଅଭିଯୋଗ ହେଉଛି। ମିନାକ୍ଷୀ ପୁଲିସକୁ ଗୁଣ୍ଡା ଭାବରେ ବ୍ୟବହାର କରୁଥିବା ନେଇ ଏବେ ସାଧାରଣରେ ଛି ଛି କରାଯାଉଥିବା ବେଳେ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ଉପରେ ମିନାକ୍ଷୀ ତୀକ୍ଷ୍ଣ ନଜର ରଖିଛନ୍ତି । ସନାତନଙ୍କ ସମର୍ଥିତ କର୍ମୀମାନଙ୍କୁ କୌଣସି ସ୍ଥାନରେ ବୈଠକ କରେଇଦେବାକୁ ଦିଆଯାଉନଥିବା ବେଳେ ସେମାନଙ୍କୁ ବିଭିନ୍ନ ଉପାୟରେ ଥାନାକୁ ଡକାଇ ସକାଳୁ ରାତି ଯାଏ ବସାଇବା ସହ ହଇରାଣ ହରକତ କରାଯାଉଥିବା ମଧ୍ୟ ନଜିର ରହିଛି। କେହି ସମର୍ଥକ ସନାତନଙ୍କୁ ଭେଟିବାକୁ ଗଲେ ମଧ୍ୟ ରାସ୍ତାରେ ଏବଂ ତାଙ୍କ ଘର ଦ୍ୱାର ମୁହଁରେ ପୁଲିସ ଜଗି ରହି ତାଙ୍କୁ ସାକ୍ଷାତ କରାଇଦେଉନଥିବା ଅଭିଯୋଗ ହୋଇଛି। ଏପରିକି ସନାତନଙ୍କ ସମର୍ଥକଙ୍କ ଘର ଉପରେ ମଧ୍ୟ ଚଢ଼ଉ କରାଯାଉଛି। ଏସବୁ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ଇଙ୍ଗିତରେ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ସ୍ୱଚ୍ଛ, ନିରପେକ୍ଷ ଓ ଅବାଧ ନିର୍ବାଚନ ନିମନ୍ତେ ଦୃଢୋକ୍ତି ପ୍ରଦାନ କରୁଥିବା ବେଳେ ଶୁକ୍ରବାର ଏହାର ଏକ ବିରାଟ ବ୍ୟତିକ୍ରମ ଦେଖିବାକୁ ମିଳିଛି।
ଯୋଡା ବ୍ଲକ ଭଦ୍ରାସାହୀ ପଞ୍ଚାୟତର ଝାଡଗ୍ରାମ ଅଞ୍ଚଳରୁ ବସ୍ରେ କିଛି କର୍ମୀ ସନାତନଙ୍କୁ ଭେଟିବାକୁ ତାଙ୍କର କେନ୍ଦୁଝର ବାସଭବନକୁ ଯାଉଥିବା ବେଳେ ବଡବିଲ ପୁଲିସ ସେମାନଙ୍କୁ ଭଦ୍ରାସାହୀ ନିକଟରେ ଅଟକାଇ ଗାଡିର ଚାଳକ ୨ଜଣଙ୍କୁ ଥାନାକୁ ନେଇଯାଇଥିଲେ। ଏ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶତାଧିକ ଗ୍ରାମବାସୀ ଭଦ୍ରାସାହୀଠାରୁ ପାଦରେ ଚାଲି ସନାତନଙ୍କୁ ଭେଟିବା ପାଇଁ କେନ୍ଦୁଝର ବଡହଳସ୍ଥିତ ତାଙ୍କ ବାସଭବନ ଅଭିମୁଖେ ଯାଉଥିବା ବେଳେ ପରେ ବିଭିନ୍ନ ବସରେ ଯାଇ ତାଙ୍କୁ ସାକ୍ଷାତ କରି ଫେରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଦୀର୍ଘ ୩ ବର୍ଷ ହେଲା ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଜନସାଧାରଣଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ରଖିନାହାନ୍ତି। ସନାତନଙ୍କ ବିଧାୟକ ସମୟରେ ସେମାନେ ଯାହାକିଛି ସୁବିଧା ସୁଯୋଗ ପାଇଆସୁଥିଲେ ତାହା ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଏପରିକି ସରକାରଙ୍କ ବିଭିନ୍ନ ଯୋଜନାରୁ ସୁଫଳ ପାଇବାରୁ ମଧ୍ୟ ସେମାନେ ବଞ୍ଚିତ ହୋଇଛନ୍ତି। ତେଣୁ ପ୍ରଶାସନ ଯେତେ ରୋକ ଲଗାଇଲେ ମଧ୍ୟ ସେମାନେ ସନାତନଙ୍କ ନେତୃତ୍ୱରେ ରହିବେ ବୋଲି ପ୍ରଶାସନକୁ ମୁହତୋଡ ଜବାବ ଦେଇଛନ୍ତି। ତେବେ ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ବଡବିଲ ପୁଲିସକୁ ବିଭିନ୍ନ ପ୍ରଶ୍ନ ପଚାରିଥିବା ବେଳେ ଦାୟିତ୍ୱରେ ଥିବା ଅଧିକାରୀ ଜଣଙ୍କ ଭାରପ୍ରାପ୍ତ ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ପଚାରିବାକୁ କହି ଘଟଣା ସ୍ଥଳରୁ ଖସିଯାଇଥିଲେ। ତେବେ କେବଳ ଭଦ୍ରାସାହୀରେ ବସକୁ ଅଟକାଯାଇଥିଲା ବରଂ ଯୋଡା, ବିଲେଇପଦା ପ୍ରଭୃତି ସ୍ଥାନରେ ଏହି ବସ୍କୁ ଅଟକାଇବା ପାଇଁ ପୁଲିସ ପକ୍ଷରୁ ଜାଲ ବିଛାଯାଇଥିଲା।
ଆଗାମୀ ୨୨ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ କାହା ଇଙ୍ଗିତରେ ପୁଲିସ ତାଙ୍କର ପ୍ରିୟ ନେତା ସନାତନ ମହାକୁଡ଼ଙ୍କୁ ଭେଟିବାକୁ ଦେଉନାହିଁ ତାହା ଏବେ ପୁଲିସର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।