ଶିଷ୍ଟାଚାର ରକ୍ଷା ପାଇଁ ପୂର୍ବତଟ ରେଳପଥର ଅଭିଯାନ, ନିୟମ ଭାଙ୍ଗିଲେ ହେବେ ଦଣ୍ଡିତ

ଭୁବନେଶ୍ବର,ଏନ୍ଏନ୍ଏସ୍: ଟ୍ରେନ ଯାତ୍ରା ସମୟରେ ଶିଷ୍ଟାଚାର ରକ୍ଷା ପାଇଁ ପୂର୍ବତଟ ରେଳପଥ ଅଭିଯାନ ଆରମ୍ଭ କରିଛି। ଅନ୍ୟ ଯାତ୍ରୀ ଯେପରି କୌଣସି ପ୍ରକାର କାର୍ଯ୍ୟକଳାପରୁ ପ୍ରଭାବିତ ନ ହୁଅନ୍ତି, ସେଥିପ୍ରତି ଧ୍ୟାନ ଦେବା ପାଇଁ ଏଭଳି ନିୟମ ଆଣିଛି ପୂର୍ବତଟ ରେଳପଥ। ତେବେ ଏହି ନିୟମ ଉଲ୍ଲଘଂନ କଲେ ଉକ୍ତ ଯାତ୍ରୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ସତର୍କ କରାଇଛି ପୂର୍ବତଟନ ରେଳ ବିଭାଗ କର୍ତ୍ତୃପକ୍ଷ।

ଯାତ୍ରା ସମୟରେ ଯାତ୍ରୀମାନଙ୍କ ମଧ୍ୟରେ ଶାଳୀନତା ଏବଂ ଶିଷ୍ଟାଚାର ବଜାୟ ରଖିବା ପାଇଁ ପୂର୍ବତଟ ରେଳପଥ ଏକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛି। ଯେପରିକି ଉଚ୍ଚ ସ୍ବରରେ ମୋବାଇଲ ଫୋନରେ କଥା ହେବା କିମ୍ବା ସଂଗୀତ ଶୁଣିବାରୁ ଦୂରେଇ ରହିବା। ସହ-ଯାତ୍ରୀମାନଙ୍କ ଯେପରି ଅସୁବିଧା ନ ହେବା ସେଥିପ୍ରତି ଧ୍ୟାନ ଦେବା। ରାତି ୧୦ ଘଟିକା ପରେ ଉଚ୍ଚ ଶବ୍ଦ କିମ୍ବା ଶବ୍ଦ ସ୍ତରକୁ କମ୍ କରିବା।

ଟ୍ରେନରେ ଯାତ୍ରା ସମୟରେ ଜନସାଧାରଣଙ୍କ ମଧ୍ୟରେ ଶିଷ୍ଟାଚାର ସମ୍ବନ୍ଧରେ ଯାତ୍ରୀମାନଙ୍କୁ ପରାମର୍ଶ ଦେବା ପାଇଁ ଟିକେଟ ଯାଞ୍ଚ କର୍ମଚାରୀ ମାନଙ୍କ ସହିତ ରେଳବାଇ ସୁରକ୍ଷା ବଳ (ଆରପିଏଫ୍), କ୍ୟାଟରିଂ, ଇଲେକ୍ଟ୍ରିକାଲ୍ ଏବଂ ମେକାନିକାଲ୍ କର୍ମଚାରୀଙ୍କ ସମେତ ଅନ୍-ବୋର୍ଡ ଟ୍ରେନ କର୍ମଚାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରୀମାନଙ୍କୁ ସହ-ଯାତ୍ରୀମାନଙ୍କର କୌଣସି ପ୍ରକାର ଅସୁବିଧା ନ କରିବାକୁ ପରାମର୍ଶ ଦିଆଯାଉଛି।

ଉଚ୍ଚ ସ୍ବରରେ ଫୋନ ମାଧ୍ୟମରେ କଥାବାର୍ତ୍ତା କିମ୍ବା ଉଚ୍ଚ ସ୍ବର ସ୍ତରର ସଂଗୀତ ଶୁଣିବା ଆଦିରୁ ଦୂରେଇ ରହିବା, ରାତ୍ରି ୧୦ ଘଟିକା ଠାରୁ ଟ୍ରେନ ପ୍ରକୋଷ୍ଠ (କମ୍ପାର୍ଟମେଣ୍ଟ) ମଧ୍ୟରେ ଫୋକସ ଲାଇଟ୍‌ ବ୍ୟତୀତ କ୍ୟାବିନରେ ଥିବା ଲାଇଟ ବ୍ୟବହାର ନକରିବା ଏବଂ ୧୦ଟା ପରେ କମ୍ପାର୍ଟମେଣ୍ଟରେ ସାଧାରଣ ଆଲୋଚନାର ଶବ୍ଦ ସ୍ତରକୁ କମ୍ କରିବାକୁ କୁହାଯାଇଛି। ଯାତ୍ରୀମାନଙ୍କ ସହିତ କାରବାର କରୁଥିବା ବେଳେ ପୂର୍ବତଟ ରେଳପଥ ଏହାର କର୍ମଚାରୀଙ୍କୁ ଭଦ୍ରତା, କୌଶଳପୂର୍ଣ୍ଣ ଏବଂ ସୌଜନ୍ୟମୂଳକ ବ୍ୟବହାର ବଜାୟ ରଖିବା ସହିତ ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେଇଛି।

ଯାତ୍ରୀମାନଙ୍କୁ ଜରୁରୀ ଆବଶ୍ୟକତା ଯଥା ୬୦ ବର୍ଷରୁ ଅଧିକ ଯାତ୍ରୀ, ଭିନ୍ନକ୍ଷମ, ରୋଗୀ ଏବଂ ଟ୍ରେନରେ ଏକକ ମହିଳା ଯାତ୍ରୀଙ୍କୁ ସାହାଯ୍ୟ କରିବାକୁ ନିର୍ଦ୍ଦେଶନାମା ମଧ୍ୟ ଦିଆଯାଇଛି। ଯେଉଁ ଯାତ୍ରୀ ନିର୍ଦ୍ଦେଶାବଳୀ ଉଲ୍ଲଘଂନ କରୁଛନ୍ତି ଏବଂ ଅନ୍ୟ ସହ-ଯାତ୍ରୀମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରାଉଛନ୍ତି କିମ୍ବା ଟ୍ରେନରେ ଯାତ୍ରା କରୁଥିବା ସମୟରେ ସହଯାତ୍ରୀଙ୍କୁ ବିବ୍ରତ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ମଧ୍ୟ ନିର୍ଦ୍ଦେଶନାମା ଜାରି କରଯାଇଛି।