ରଣ୍‌ଜୀ ଟ୍ରଫି: ଶୁଭମ୍‌ଙ୍କୁ ୫ ୱିକେଟ୍‌; ଓଡ଼ିଶାକୁ ଧୂପର୍ ଦେଲେ ଇନିଂସ ଅଗ୍ରଣୀ

କଟକ,ଏନ୍‌ଏନ୍‌ଏସ୍‌: ଚଳିତ ରଣ୍‌ଜୀ ଟ୍ରଫିର ପ୍ରଥମ ପର୍ଯ୍ୟାୟ ମୁକାବିଲାର ଦ୍ୱିତୀୟ ଦିନରେ ଓଡ଼ିଶା ପ୍ରଥମ ଇନିଂସ ଭିତ୍ତିରେ ୮ ରନ୍‌ରେ ଆଗୁଆ ରହିଛି। ପ୍ରଥମ ଦିନରେ ପ୍ରତିପକ୍ଷ ଗୋଆ ୬୪ ଓଭର୍‌ରେ ୧୮୧ ରନ୍ କରି ଅଲ୍‌ଆଉଟ୍ ହେବା ପରେ ଓଡ଼ିଶା ମାତ୍ର ୨୩ ରନ୍‌ରେ ୩ଟି ୱିକେଟ୍ ହରାଇ ବିପଦରେ ପଡ଼ିଥିଲା। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ଗ୍ରାଉଣ୍ଡ୍ ‘ବି’ରେ ଚାଲିଥିବା ଏହି ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଶୁକ୍ରବାର ଦଳ ଅବଶିଷ୍ଟ ୭ ୱିକେଟ୍‌ରେ ସ୍କୋର୍‌ରେ ୧୬୬ ରନ୍ ଯୋଡ଼ିବାକୁ ସକ୍ଷମ ହୋଇଛି। ଦଳର ୬ ଜଣ ଶୀର୍ଷ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ୪ ଜଣ ଫେଲ୍ ମାରିଥିବା ବେଳେ ୱିକେଟ୍‌କିପର୍‌-ବ୍ୟାଟ୍ସମ୍ୟାନ୍ ରାଜେଶ ଧୂପରଙ୍କ ୭୧ ରନ୍‌ର ଅପରାଜିତ ଇନିଂସ ବଳରେ ଓଡ଼ିଶା ଏହି ଅଗ୍ରଣୀ ହାସଲ କରିଥିଲା।

ଶୁକ୍ରବାର ଖେଳ ଶେଷ ବେଳକୁ ଗୋଆ ତା’ର ଦ୍ୱିତୀୟ ଇନିଂସରେ ୩୨ ଓଭର୍ ଖେଳି ୨ଟି ୱିକେଟ୍ ହରାଇ ୮୭ ରନ୍ କରିଛି। ଓପନର ସୁମିରନ୍ ଅମୋନକର ୩ଟି ଚୌକା ଓ ଗୋଟିଏ ଛକା ସହ ୩୩ ରନ୍ ଏବଂ ତାଙ୍କ ଯୋଡ଼ିଦାର ଅମୋଘ ଦେଶାଇ ୭ଟି ଚୌକା ସହ ୪୨ ରନ୍ କରି ଆଉଟ୍ ହୋଇଥିବା ବେଳେ ଅମୂଲ୍ୟ ପାଣ୍ଡ୍ରେକର୍ ୫ ଓ ସୂୟାଂଶ ପ୍ରଭୁଦେଶାଇ ୬ ରନ୍ କରି ଅପରାଜିତ ଅଛନ୍ତି।

ଦ୍ୱିତୀୟ ଦିନର ଖେଳ ଅପରାଜିତ ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି ଓ ଗୋବିନ୍ଦ ପୋଦ୍ଦାର ଆରମ୍ଭ କରିଥିଲେ। ଉଭୟଙ୍କ ମଧ୍ୟରେ ୨୫ ରନ୍‌ର ଭାଗୀଦାରୀ ହେବା ପରେ ପୋଦ୍ଦାର ବ୍ୟକ୍ତିଗତ ଭାବେ ୨ଟି ଚୌକା ସହ ୮ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ବିଦାୟ ପରେ ପଡ଼ିଆକୁ ଆସିଥିଲେ ଧୂପର୍। କିନ୍ତୁ ଅଧିନାୟକ ଶୁଭ୍ରାଂଶୁ ୩ଟି ଚୌକା ସହ ୨୯ ରନ୍ କରି ଆଉଟ୍ ହେବା ଫଳରେ ଧୂପରଙ୍କୁ ବିଶେଷ ସହଯୋଗ ଦେଇପାରି ନ ଥିଲେ। ଏଥିସହ ଦଳୀୟ ସ୍କୋର୍ ୫୪ରେ ପହଞ୍ଚିବା ବେଳକୁ ଓଡ଼ିଶାର ଅଧା ଟିମ୍ ପ୍ୟାଭିଲିୟନ୍ ଫେରିସାରିଥିଲା। କିନ୍ତୁ ଧୂପର୍ ପରବର୍ତ୍ତୀ ୩ ଜଣ ବ୍ୟାଟ୍ସମ୍ୟାନ୍‌ଙ୍କ ସହ ୧୧୧ ରନ୍ ଯୋଡ଼ି ସ୍ଥିତିକୁ ସୁଧାରିନେବାରେ ସକ୍ଷମ ହୋଇଥିଲେ। ସେ ଷଷ୍ଠ ୱିକେଟ୍‌ରେ ଅଭିଷେକ ରାଉତଙ୍କ ସହ ୪୭, ଷଷ୍ଠ ୱିକେଟ୍‌ରେ ଦେବବ୍ରତ ପ୍ରଧାନଙ୍କ ସହ ୨୦ ଓ ସପ୍ତମ ୱିକେଟ୍‌ରେ ରାଜେଶ ମହାନ୍ତିଙ୍କ ସହ ୪୪ ରନ୍ ଯୋଡ଼ିଥିଲେ। ଅଭିଷେକ ୩ଟି ଚୌକା ଓ ଗୋଟିଏ ଛକା ସହ ୨୯, ଦେବବ୍ରତ ୩ଟି ଚୌକା ସହ ୧୩ ଏବଂ ରାଜେଶ ୩ଟି ଚୌକା ସହ ୧୮ ରନ୍‌ର ଯୋଗଦାନ ଦେଇଥିଲେ।

ଶହେତମ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ଭେଟେରାନ୍ ପେସର୍ ବସନ୍ତ ମହାନ୍ତି ବ୍ୟାଟିଂରେ କୌଣସି ସହଯୋଗ ଦେବାରେ ବିଫଳ ହୋଇଥିଲେ। ସେ ଖାତା ଖୋଲିପାରି ନ ଥିବା ବେଳେ ଡେବ୍ୟୁଟାଣ୍ଟ୍ ଆଶିଷ ରାଏଙ୍କ ସହ ଧୂପର୍ ୨୨ ରନ୍ ଯୋଡ଼ିବା ଫଳରେ ଓଡ଼ିଶାକୁ ୮ ରନ୍‌ର ଅଗ୍ରଣୀ ମିଳିଥିଲା। ଗୋଟିଏ ଚୌକା ସହ ଆଶିଷ ଆଉଟ୍ ହେବା ପରେ ୫୬ତମ ଓଭର୍‌ର ଶେଷ ବଲ୍‌ରେ ଓଡ଼ିଶାର ପ୍ରଥମ ଇନିଂସ ଶେଷ ହୋଇଥିଲା। ଧୂପର୍ ୮ଟି ଚୌକା ଓ ଗୋଟିଏ ଛକା ସହ ୭୧ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଗୋଆ ପକ୍ଷରୁ ଶୁଭମ୍ ରଞ୍ଜନେ ୫ଟି ଓ ଲକ୍ଷ୍ୟ ଗର୍ଗ ୨ଟି ୱିକେଟ୍ ନେଇଥିଲେ।

ଦ୍ୱିତୀୟ ଦିନର ଶେଷ ସେସନ୍‌ରେ ଦ୍ୱିତୀୟ ଇନିଂସ ଆରମ୍ଭ କରିବାର ସୁଯୋଗ ପାଇଥିବା ଗୋଆ ପାଇଁ ଦୁଇ ଓପନର ଅମୋନକର ଓ ଦେଶାଇ ୭୬ ରନ୍ ଯୋଡ଼ିଥିଲେ। ଉଭୟ ଓଡ଼ିଶା ବୋଲରଙ୍କ ଉପଯୁକ୍ତ ମୁକାବିଲା କରି ବଡ଼ ଭାଗୀଦାରୀ କରିଥିଲେ। ଅବଶ୍ୟ ଅମୋଘଙ୍କୁ ଆଉଟ୍ କରି ପ୍ରଥମ ଇନିଂସରେ ୩ଟି ୱିକେଟ୍ ନେଇଥିବା ବସନ୍ତ ଓଡ଼ିଶା ପାଇଁ ପ୍ରଥମ ସଫଳତା ଅର୍ଜନ କରିଥିଲେ। ପରବର୍ତ୍ତୀ ଓଭର୍‌ରେ ଅଭିଷେକ ଅନ୍ୟତମ ଓପନର ଅମୋନକରଙ୍କୁ ଆଉଟ୍ କରି ଦଳ ପାଇଁ ଦ୍ୱିତୀୟ ସଫଳତା ଆଣିଥିଲେ। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଗୋଆ ୭୯ ରନ୍‌ରେ ଆଗୁଆ ରହିଛି ଓ ଦଳ ପାଖରେ ଏବେ ବି ୮ଟି ଦ୍ୱିତୀୟ ଇନିଂସ ୱିକେଟ୍ ବାକି ରହିଛି।