ଗ୍ରୀଣ୍ଡୋଲା ଜଙ୍ଗଲରେ ହୋଇଥିବା ହତ୍ୟାକାଣ୍ଡରେ ଜଣେ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଗ୍ରୀଣ୍ଡୋଲା ଜଙ୍ଗଲରେ ବେଲପାହଡ଼ ଓ ସୁନ୍ଦରଗଡ଼କୁ ସଂଯୋଗ କରିଥିବା ରାସ୍ତାରେ ଗତ ୧୬ ତାରିଖ ବିଳମ୍ବିତ ରାତିରେ ହୋଇଥିବା ହତ୍ୟାକାଣ୍ଡରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ବେଲପାହାଡ଼ ଖଡ଼ିଆପଡ଼ା ଅଞ୍ଚଳର କଲ୍ଲୁ ଓରଫ ଏମଡି ଇର୍ସାଦ କାଦିର(୧୯) ବୋଲି ପୁଲିସ ସୂଚନା ଦେଇଛି। ତେବେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନେ ଏଯାଏଁ ଫେରାର ଅଛନ୍ତି। ପୁଲିସ ସେମାନଙ୍କୁ ଧରିବା ପାଇଁ ଛାନଭିନ ଜାରୀ ରଖିଛି। ଅନ୍ୟପଟେ ମୃତ ଟ୍ରଲର ଡ୍ରାଇଭର ମନୁ ଶାହ(୧୯)ଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କର ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ପୁଲିସ ସୂଚନା ଦେଇଛି। ତେବେ ଏହି ହତ୍ୟାକାଣ୍ଡ ଟ୍ରଲର ଚୋରୀ କରି ବିକ୍ରି କରିବା ଉଦ୍ଦେଶ୍ୟରେ ହୋଇଥିଲା ବୋଲି ପୁଲିସ ସ୍ପଷ୍ଟ କରିଛି।

ସୂଚନାନୁଯାୟୀ, କିଛିମାସ ପୂର୍ବରୁ ରାୟଗଡ଼ାଠାରୁ କୋଲଡା ମାଇନ୍ସ ରାସ୍ତାରେ ବଏକଟପାଲିଠାରେ ଏକ ଟାୟାର ଦୋକାନରେ କଲ୍ଲୁ କାମ କରୁଥିଲା। ସେଠାରେ ତା’ର ବିହାର ଅଞ୍ଚଳର କଛି ଡ୍ରାଇଭରଙ୍କ ସହ ପରିଚୟ ହୋଇଥିଲା। ସେହି ଯୁବକମାନେ ଟ୍ରଲର ଚୋରି କରିବା ସହ ବିକ୍ରି କରି ଟଙ୍କା ରୋଜଗାର କରିବା ପାଇଁ ଯୋଜନା କରିଥିଲେ। ଏଥିପାଇଁ ସେମାନେ ଟ୍ରଲର ଡ୍ରାଇଭର ମନୁ ସହ ବନ୍ଧୁତା ସ୍ଥାପନ କରିଥିଲେ। ପରେ ଯୋଜନା ମୁତାବକ ଅଭିଯୁକ୍ତମାନେ ଗତ ୧୬ତାରିଖ ରାତି ପ୍ରାୟ ୧୦ରୁ ୧୧ଟା ସମୟରେ ବଏକଟପାଲିର ଟାୟର ଦୋକାନ ପାଖରେ ଏକତ୍ରିତ ହୋଇ ମନୁ ଶାହାକୁ ଫୋନ୍ କରି ଡାକିବା ପରେ ଯୋଜନା ମୁତାବକ କଲ୍ଲୁ ଓ ତା’ର ସହଯୋଗୀ  କିଛି ଦୂର ଯିବାର ବାହାନା କରି ଟ୍ରଲରରେ ଚଢ଼ିଲେ। କିଛି ବାଟ ଗଲାପରେ ସେମାନେ ପରିଶ୍ରା କରିବା ବାହାନା କରି ଟ୍ରଲର ଅଟକାଇବାକୁ କହି ଟ୍ରଲରରେ ଥିବା ଏକ ଲୁହା ରୋଡରେ ମୋନୁର ମୁଣ୍ଡରେ ପଛପଟୁ ପ୍ରହାର କରିଥିଲେ। ଫଳରେ ମୋନୁ ଅଚେତ ହୋଇଯାଇଥିଲା। ପରେ ଅଭିଯୁକ୍ତମାନେ ମୋନୁର ହାତ ଗୋଡ଼ ଓ ମୁହଁକୁ ବାନ୍ଧି ଦେଇ ବସୁନ୍ଧର ମାଇନ୍ସରୁ ହେମିଗିର ରସ୍ତାଦେଇ ବେଲପାହାଡ଼ ପଟକୁ ଟ୍ରଲର ନେଇ ଆସିଥିଲେ। କାଳେ ମନୁ କାହାକୁ କିଛି କହିଦେବ ସେହି ଭୟରେ ତାକୁ ବେଲପାହାଡ଼-ସୁନ୍ଦରଗଡ଼ ରାସ୍ତା ଗ୍ରୀଣ୍ଡୋଲା ଜଙ୍ଗଲର ନିଛାଟିଆ ରାସ୍ତାରେ ମାଣିକେଶ୍ୱରୀ ମନ୍ଦିର ପାଖରେ ଗାଡ଼ି ଉପରୁ ଠେଲି ତଳେ ପକେଇବା ସହ ତା’ ମୁଣ୍ଡରେ ଗାଡ଼ି ଚଢ଼ାଇ ହତ୍ୟା କରିଥିଲେ। ପରେ ଟ୍ରଲରକୁ ନେଇ ବଞ୍ଜାରୀ ନାଲ ପାଖଜଙ୍ଗଲରେ ବିକ୍ରି କରିବା ପାଇଁ ଲୁଚାଇ ରଖିଥିଲେ। ଲୁଚାଇଥିବା ଜାଗାରୁ ପୁଲିସ ଗତ ୨୧ ତାରିଖ ଟ୍ରଲର ଜବତ କରିଥିଲା। ସେହିପରି ମୋନୁ ଶାହର ଶବକୁ ତା’ର ବଡ଼ଭାଇ ଓ ମାମୁ ଆସି ଚିହ୍ନଟ କଲା ପରେ ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର କରିଛି।