ପ୍ରତିଷ୍ଠା ଦିବସରେ ପୁଲିସ କର୍ମଚାରୀଙ୍କୁ ସମ୍ମାନିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଜିଲ୍ଲା ପୁଲିସ ଓ ଦ୍ୱିତୀୟ ସଶସ୍ତ୍ର ପୁଲିସ ବାହିନୀ ପକ୍ଷରୁ ମିଳିତ ଭାବେ ଦ୍ୱିତୀୟ ବାଟାଲିୟନ ପଡ଼ିଆଠାରେ ୮୬ ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏସପି ବିକାଶ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ଏବଂ କୋଭିଡ଼ ମହାମାରୀ ସମୟରେ ପୁଲିସ ତା’ର କର୍ତ୍ତବ୍ୟ ସୁଚାରୁରୁପେ ପାଳନ କରିଛି ବୋଲି ଏସପି କହିଥିଲେ। ସେବା କ୍ଷେତ୍ରରେ ଅତୁଳନୀୟ କାର୍ଯ୍ୟ ହାସଲ କରିଥିବା ଜିଲ୍ଲା ପୁଲିସ ଓ ଦ୍ୱିତୀୟ ସଶସ୍ତ୍ର ବାହିନୀର କର୍ମଚାରୀଙ୍କୁ ସମ୍ମାନିତ କରିବା ସହ ପ୍ଲାଜମା ଦାନ କରିଥିବା ଓଏସଏପି ର ୧୮ ଜଣ ପୁଲିସ ବାହିନୀଙ୍କୁ ସମ୍ମାନିତ କରିଥିଲେ। ଦ୍ୱିତୀୟ ସଶସ୍ତ୍ର ବାହିନୀର ଦୁର୍ଗପତି ମନୋଜ ପୁରୋହିତଙ୍କ ସହ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।
ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲାର ସର୍ବଶ୍ରେଷ୍ଠ ଏସଆଇ ଭାବେ ସରୋଜ ନାଏକ,ଏଏସାଇ ମୃତ୍ୟୁଞ୍ଜୟ ରଥ, ଓଆର କନଷ୍ଟେବଳ ଜ୍ୟୋସ୍ନା ନାୟକ, ଟ୍ରାଫିକ କନଷ୍ଟେବଳ ନିରଞ୍ଜନ କୁମାର ସାହୁ ଓ ଏପିଆର କନଷ୍ଟେବଳ ମଳୟ ମଞ୍ଜୁଳାଙ୍କୁ ପୁରସ୍କୃତ କରିଥିଲେ। ସେହିପରି ଦ୍ୱିତୀୟ ସଶସ୍ତ୍ର ବାହିନୀର ସର୍ବଶ୍ରେଷ୍ଠ ଭାବେ ଡେପୁଟି ସୁବେଦାର ସାଗର ଥାପ୍ପା, ହାବିଲଦାର ମେଜର ବିଷ୍ଣୁ ପ୍ରସାଦ ଧବଲ, ହାବିଲଦାର ବାଳକୃଷ୍ଣ ଥାପ୍ପା ଓ ସର୍ବଶ୍ରେଷ୍ଠ ସିପାହି ଭାବରେ ଭାଗିରାମ ଗୁରୁଙ୍ଗଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।