୫୫ ଗାଁକୁ ଓପିଜିସି ପକ୍ଷରୁ ପାନୀୟ ଜଳ ଯୋଗାଣ ଆରମ୍ଭ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଗ୍ରୀଷ୍ମର ପ୍ରକୋପ ଏବେ ଚରମ ସୀମାରେ ପହଂଚିଛି। ଏହାର ପ୍ରଭାବରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ନଈ, ନାଳ, ପୋଖରୀ, କୂଅ, ନଳକୂପ ଆଦି ଶୁଖଯାଇଛି। ଫଳରେ ଜିଲ୍ଲାର ଅନେକ ସ୍ଥାନରେ ଲୋକେ ଏବେ ପାନୀୟ ଜଳ ଟିକିଏ ପାଇଁ ଡହଳ ବିକଳ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲା ବନହରପାଲିସ୍ଥିତ ଓପିଜିସି କରଖାନା ପକ୍ଷରୁ ଆଜିଠାରୁ ଟେଙ୍କର ସାହାଯ୍ୟରେ ଲଖନପୁର ବ୍ଲକର ୮ଟି ପଂଚାୟତରେ ଥିବା ୫୫ଟି ଗ୍ରାମକୁ ଜଳ ଯୋଗାଣ ଆରମ୍ଭ କରାଯାଇଛି। ଆଗାମୀ ଦିନରେ ଯଦି ଅନ୍ୟ କୌଣସି ଗ୍ରାମରେ ଜଳ ଅଭାବ ଦେଖାଦିଏ ତେବେ ସେହି ଗ୍ରାମଗୁଡ଼ିକରେ ମଧ୍ୟ ପାନୀୟ ଜଳ ଯୋଗାଣ କରାଯିବ ବୋଲି ଓପିଜିସି ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ତେଲେନପାଲି, କୁସରାଲୋଇ, ରେମେଣ୍ଡା, କୁମ୍ଭାରବନ୍ଧ, ଦଲଗାଁ, ତିଲିଆ, ପିପିଲିକାନୀ ଓ ରମ୍ପେଲା ପଞ୍ଚାୟତକୁ ୧୦ଟି ଟ୍ୟାଙ୍କର ଯୋଗେ ପ୍ରତିଦିନି ୧ଲକ୍ଷ ୭୫ହଜାର ଲିଟର ଜଳ ଯୋଗାଇ ଦିଆଯାଉଛି। ଏହି ଜଳ ଯୋଗାଣ କାର୍ଯ୍ୟକ୍ରମ ଆଗାମୀ ଜୁନ ମାସ ଶେଷ ପର୍ଯ୍ୟନ୍ତ ଜାରି ରହିବ। ସେହିପରି ଓପିଜିସି ପକ୍ଷରୁ ବର୍ଷସାରା ପାଇପଲାଇନ ଯୋଗେ ୧୭ଟି ଗ୍ରାମକୁ ଜଳ ଯୋଗାଇ ଦିଆଯାଉଥିବା କମ୍ପାନୀ କର୍ତୃପକ୍ଷ ପ୍ରକାଶ କରିଛନ୍ତି।