ମାହାଙ୍ଗା ଡବଲ ମର୍ଡର ଘଟଣା: କୋର୍ଟରେ ସିଡିଆର ଦାଖଲ କଲେ ଥାନାଧିକାରୀ

ମାହାଙ୍ଗା,କୁୁଆଁପାଳ,ଏନ୍‌ଏନ୍‌ଏସ୍‌: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଜି ମାହାଙ୍ଗା ଥାନାଧିକାରୀ ନିହାର ରଞ୍ଜନ ମହାନ୍ତି ବ୍ୟକ୍ତିଗତ ଭାବେ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହୋଇଛନ୍ତି। ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାରେ ଆଇଆଇସି ନିହାର ରଞ୍ଜନ ମହାନ୍ତି ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ସିଡିଆର ଓ କେସ୍ ରେକର୍ଡ ଦାଖଲ କରିଛନ୍ତି। ଏହାବ୍ୟତୀତ ଏହି ଘଟଣାରେ ୧୦ ଜଣଙ୍କ ୧୬୧ ସାକ୍ଷ୍ୟ ମଧ୍ୟ କୋର୍ଟରେ ଦାଖଲ କରିଛନ୍ତି ଆଇଆଇସି। ଉକ୍ତ ଡବଲ ମର୍ଡରରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଏତଲାରେ ଥିଲା। କିନ୍ତୁ ଚାର୍ଜସିଟ୍‌ରେ ୧୩ ନମ୍ବର ମୁଦାଲା ଭାବେ ଥିବା ମନ୍ତ୍ରୀଙ୍କ ନାଁକୁ ହଟାଇ ଦିଆଯାଇଥିଲା। ଏନେଇ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ। ଏହା ପରେ ଗତ ଅଗଷ୍ଟରେ ପ୍ରୋଟେଷ୍ଟ ପିଟିସନର ଶୁଣାଣି କରି ସେହି ମାସ ୨୫ ତାରିଖରେ ଏହାର ସାନି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

ଗତ ଡିସେମ୍ବର ୪ ତାରିଖ ଦିନ ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ଦାଖଲ ପାଇଁ ବ୍ୟକ୍ତିଗତଭାବେ ହାଜର ନହେବାରୁ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଯିବ ତାହା ଜଣାଇବା ସହ ୧୦ ତାରିଖ ଉପରୋକ୍ତ ରେକର୍ଡ କୋର୍ଟରେ ଜମା କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ପୁନଃ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସତ୍ତ୍ୱେ ତଦନ୍ତ ରିପୋର୍ଟ ନମିଳିବାରୁ ଆଜି କ୍ଷୁବ୍ଧ ହୋଇଥିଲେ କୋର୍ଟ। ପୁଲିସ୍ ସେହି ମାମଲାର ପୁନଃ ତଦନ୍ତ କରି ରିପୋର୍ଟ ଦେଇନଥିବାରୁ କଡା ଭାଷାରେ ଭର୍ତ୍ସନା କରିଥିବା ରମାକାନ୍ତଙ୍କ ଓକିଲ ପ୍ରବୀଣ କାନୁନ୍‌ଗୋ କହିଛନ୍ତି।