କେନାଲ ବନ୍ଧ ନିକଟରୁ ନାବାଳକର ମୃତଦେହ ଉଦ୍ଧାର, ସର୍ପାଘାତ ସନ୍ଦେହ

ଡେଲାଙ୍ଗ,ଏନ୍ଏନ୍ଏସ୍: ଡେଲାଙ୍ଗ ଥାନା ଅଧୀନ ଖଡିକେରା କେନାଲ ବନ୍ଧ ରାସ୍ତା ନିକଟରୁ ଜଣେ ୧୬ ବର୍ଷ ବାଳକର ମୃତଦେହ ଆଜି ପୁଲିସ ଉଦ୍ଧାର କରିଛି। ଘଟଣା ଅନୁଯାୟୀ ଶୁକ୍ରବାର ସକାଳୁ ସ୍ଥାନୀୟ ଲୋକମାନେ ଶୌଚହେବା ପାଇଁ ଯିବା ବେଳେ ଉତ୍ତରାଣୀ-ଖଡିକେରା ମାଇନର ଦଖିଣ ପାଶ୍ୱର୍ କେନାଲ ବନ୍ଧ ନିକଟରେ ଏକ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ମୃତ ଦେହକୁ ଲୋକେ ଚିହ୍ନଟ କରିବା ପରେ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା। ପରିବାର ଲୋକେ ଖବର ପାଇ ମୃତଦେହ ନିକଟରେ ପହଞ୍ଚି ଥିଲେ।

ପରିବାର ଲୋକଙ୍କ କହିବା ଅନୁଯାୟୀ ଗତକାଲି ଦିନ ୩ଟା ସମୟରୁ ବୀରପୁରୁଷୋତ୍ତମପୁର ଗ୍ରାମର ଆଶୋକ ବେହେରାଙ୍କ ବଡ ପୁଅ ଦୀପକ ବେହେରା (୧୬) ଗାଇ ଖାଇବା ନିମନ୍ତେ ଘାଷ କାଟିବାକୁ ଯାଇଥିଲା। ସନ୍ଧ୍ୟା ହୋଇଗଲା ପରେ ମଧ୍ୟ ପୁଅ ଦୀପକ ଘରକୁ ଫେରିନଥିଲା। ପରିବାର ଲୋକେ ରାତି ତମାମ ବନ୍ଧୁବାନ୍ଧବ ଓ ଗାଁ’ର ଲୋକମାନଙ୍କୁ ପଚରାଉଚରା କଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ। ଆଜି ସକାଳୁ ସ୍ଥାନୀୟ ଲୋକମାନେ ଶୌଚ ହେବା ପାଇଁ ଯିବା ସମୟରେ ବାଳକାଟି କେନାଲ ବନ୍ଧ ତଳେ ଅଳ୍ପ ପାଣିରେ ଦୁଇ ଗୋଡ ପଡିଥିବା ବେଳେ ମୁହଁ ମାଡିହୋଇ ପଡିଥିବା ଲୋକମାନେ ଦେଖିଥିଲେ। ମୃତଦେକ ନିକଟରେ ସାଇକେଲ, ଦାଆ ଓ ଗୋଛାଏ ଘାଷ ବିଡା କଟା ହୋଇ ମଧ୍ୟ ପଡିଥିଲା। ଖବରପାଇ ଡେଲାଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଛି। ଘାଷ କାଟିବା ସମୟରେ କୌଣସି ବିଷଧର ସରୀସୃପ କାମୁଡି ଦେଇଥିବା ଅନୁମାନ କରାଯାଉଛି। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ଅଭିଯୋଗକୁ ଭିତ୍ତିକରି ୧୧/୨୧ ରେ ଅପମୃତ୍ୟୁ ମାମଲା ରୁଜୁ କରିଛି।