ପୁଲିସ-ମାଓ ଗୁଳି ବିନିମୟ : ଜଣେ ମାଓବାଦୀ ମୃତ ଓ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳ ଅନ୍ତର୍ଗତ ଯନ୍ତ୍ରୀ ଗ୍ରାମ ନିକଟସ୍ଥ ତୋଟାଗୁଡ଼ା ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମାଓବାଦୀର ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି। ଆହତ ମାଓବାଦୀ ଚିକିତ୍ସିତ ହେଉଥିବା ନେଇ ଦକ୍ଷିଶ ପଶ୍ଚିମାଂଚଳ ଡିଆଇଜି ସଫିନ ଅହମ୍ମଦ କେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ବିଏସ୍ଏଫ୍, ଏସ୍ଓଜି, ଡିଭିଏଫ ଓ ଆନ୍ଧ୍ରପ୍ରଦେଶର ଗ୍ରେ ହାଉଣ୍ଡ ଯବାନଙ୍କ ମିଳିତ ଅପରେସନ ସମୟରେ ମାଓବାଦୀ ଥିବା ଖବର ମିଳିଥିଲା। ଏହି ସମୟରେ ଏସଓଜି ଯବାନମାନେ ପହଂଚିବା କ୍ଷଣି ମାଓବାଦୀମାନେ ପ୍ରଥମେ ପୁଲିସ ଉପରକୁ ଗୁଳିଚାଳଣା କରିଥିଲେ। ପାଲଟା ଜବାବରେ ସୁରକ୍ଷାକର୍ମୀ ମଧ୍ୟ ଗୁଳି ଚାଳଣା କରିଥିବା ବେଳେ ପ୍ରାୟ ଏକ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କୁ ସାମ୍ନା କରିନପାରି ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ପରେ ସେହି ଅଂଚଳରେ ତଲାସି କରିବା ସମୟରେ ଜଣେ ହାଡକୋର ମାଓବାଦୀ କିଶୋରର ମୃତଦେହ ମିଳିଥିଲା। ମୃତ କିଶୋର ନାମରେ ସରକାର ୮ ଲକ୍ଷ ଟଙ୍କା ପୁରୁସ୍କାର ରାଶି ଘୋଷଣା କରିଥିବାବେଳେ ତା’ର ଘର ଛତିଶଗଡ଼ର ବସ୍ତର ଜିଲ୍ଲା ଅନ୍ତର୍ଗତ ଚନ୍ଦାମେଟା ଗ୍ରାମର ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସଂପୃକ୍ତ ଅଂଚଳରେ ଅପରେସନ ଚାଲିଥିବା ବେଳେ ପୁଲିସ ଯୋଡ଼ାମ୍ବ ଗ୍ରାମର ଲକ୍ଷ୍ମଣ ଗୋଲରୀ ନାମକ ମାଓବାଦୀକୁ କାବୁ କରି ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇଛି। ତଲାସୀ ବେଳେ ଘଟଣାସ୍ଥଳରୁ ପୁଲିସ ଗୋଟିଏ ଏକେ ୪୭ ରାଇଫଲ, ୩ଟି ଏକେ ୪୭ ମାଗାଜିନ, ୪୦ ରାଉଣ୍ଡ ଗୁଳି, ଗୋଟିଏ ଆଇଇଡି, ୧୧ଟି ଡେଟୋନେଟର, ୨ଟି ମୋଟରୋଲା କମ୍ୟୁନିକେସନ ସେଟ ସହ ବହୁ ମାଓ ସାମଗ୍ରୀ ଓ ପତ୍ରିକା ଜବତ କରିଥିବା ଦକ୍ଷିଶ ପଶ୍ଚିମାଂଚଳ ଡିଆଇଜି ଶ୍ରୀ ଅହମ୍ମଦ ପ୍ରକାଶ କରିଛନ୍ତି। ସ୍ୱାଭିମାନ ଅଂଚଳର ଲୋକ ଶାନ୍ତିରେ କିଭଳି କାଳାତିପାତ କରିବେ, ତାହା ଆମର ମୁଖ୍ୟ ଉଦ୍ଦେଶ୍ୟ। ଆଉ ମାଓବାଦୀମାନେ ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ଓ ସରକାରଙ୍କ ବିଭିନ୍ନ ଥଇଥାନ ଯୋଜନାର ସୁଫଳ ନେବାକୁ ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ଶ୍ରୀ ଅହମ୍ମଦ ଆହ୍ୱାନ ଦେଇଛନ୍ତି। ଏଥିରେ ଆରକ୍ଷୀ ଅଧୀକ୍ଷକ ଋିଷିକେଶ ଡି ଖିଲାରୀ, ଏସଡିପିଓ ପ୍ରହଲ୍ଲାଦ ସହାଇ ମୀନାଙ୍କ ସମେତ ବିଏସଏଫର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।