ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୁବତୀଙ୍କୁ ଅସଦାଚରଣ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣେ ଯୁବତୀଙ୍କୁ ଚିକିତ୍ସାଳୟର ଜଣେ କର୍ମଚାରୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବିକ, ଯୁବତୀ ଜଣକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତୃତୀୟ ମହଲାର ୯ ନମ୍ବର କେବିନରେ ଭର୍ତ୍ତି ହୋଇ ଗତ ୧୪ ତାରିଖରୁ ପୋଡ଼ାଜଳା ବିଭାଗରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ପ୍ରତିଦିନ ସ୍ୱାସ୍ଥ୍ୟ କର୍ମଚାରୀମାନେ ଡ୍ରେସିଙ୍ଗ କରନ୍ତି। ତେବେ ଗତ ୨୩ ତାରିଖରେ ତାଙ୍କୁ ଜଣେ ପୁରୁଷ କର୍ମଚାରୀ ଡ୍ରେସିଙ୍ଗ କରିବା ପାଇଁ ଡ୍ରେସିଙ୍ଗ ରୁମକୁ ଡାକିଥିଲେ। ସେଠାରେ ଡ୍ରେସିଙ୍ଗ ସାରି ତାଙ୍କୁ କେବିନକୁ ଆଣିଥିଲେ। ପରେ କେବିନରେ ଥିବା ଯୁବତୀଙ୍କ ଭଉଣୀଙ୍କୁ ବାହାରକୁ ଯିବାକୁ କହି ତାଙ୍କ ସହ ଅସଦାଚରଣ କରିଥିଲେ। ଏନେଇ ଯୁବତୀ ଜଣକ ଚିକିତ୍ସାଳୟ କର୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ପରେ ଚିକିତ୍ସାଳୟ କର୍ତୁପକ୍ଷ ଏକ ସ୍ୱତନ୍ତ୍ର ଦଳ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହିତ ଅଭିଯୁକ୍ତକୁ ଶୀଘ୍ର ଖୋଜି ବାହାର କରିବା ସହ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ହରେକୃଷ୍ଣ ଶତପଥୀ କହିଛନ୍ତି।