ଫୁଲବାଣୀରେ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ,୨ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

କନ୍ଧମାଳ,ଏନ୍‌ଏନ୍‌ଏସ୍‌: ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଫୁଲବାଣୀ ଗସ୍ତ କରିଛନ୍ତି । ଡିଜିଙ୍କ ଉପସ୍ଥିତିରେ ୨ କ୍ୟାଡର ମାଓବାଦୀ ପୁଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ଏରିଆ କମାଣ୍ଡର ରଞ୍ଜିତ ନେତାମ ଓ ଉଗା ପୋୟାମ । ଉଭୟ ଛତିଶଗଡ଼ କ୍ୟାଡରର ମାଓବାଦୀ ବୋଲି କୁହାଯାଇଛି । ଏମାନେ ପୂର୍ବରୁ କେକେବିଏନ ସଂଗଠନର ସଦସ୍ୟ ଥିଲେ । ସେମାନେ ୨୦୧୭ ମସିହାରୁ ସିପିଆଇ(ମାଓବାଦୀ) ସଂଗଠନରେ କାର୍ଯ୍ୟ କରୁଥିଲେ ଏବଂ ଛତିଶଗଡ଼ ଓ ଓଡ଼ିଶାରେ ଅନେକ ହିଂସା ଘଟଣାରେ ଜଡ଼ିତ ଥିଲେ । ହେଲେ ବର୍ତ୍ତମାନ ସେମାନେ ଆତ୍ମସମର୍ପଣ କରିବା ଏବଂ ସାଧାରଣ ଜୀବନଯାପନ କରିବା ପାଇଁ ସ୍ଥିର କରିଛନ୍ତି । ରାଜ୍ୟ ସରକାରଙ୍କ ଥଇଥାନ ଓ ପୁନର୍ବାସ ବ୍ୟବସ୍ଥା ଅନୁଯାୟୀ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି । ଏହି ଅବସରରେ ଡିଜି କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ନକ୍ସଲ ସମସ୍ୟା ଉପରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । ବିଏସଏଫ, ସିଆରପିଏଫ ଓ ରାଜ୍ୟ ପୁଲିସର ମିଳିତ ଅଭିଯାନରେ ଏ ଦିଗରେ ଯଥେଷ୍ଟ ସଫଳତା ମିଳିଥିବା ସ୍ଥାନୀୟ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଜି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଅତିରିକ୍ତ ମହାନିର୍ଦ୍ଦେଶ ଅପରେସନ ଦେବଦତ୍ତ ସିଂ, ବିଏସଏଫ କମାଣ୍ଡାଣ୍ଟ ରବିକାନ୍ତ, ଡିଆଇଜି, ଏସଆଇଡବ୍ଲ୍ୟୁ ଉମାଶଙ୍କର ଦାଶ, କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର, ବୌଦ୍ଧ ଏସପି ରାଜ ପ୍ରସାଦ ଓ ବାଲିଗୁଡ଼ା ଏସଡିପିଓ ୟଶ ପ୍ରତାପ ସିମଲ ପ୍ରମୁଖ ଉପସ୍ଥିତ ଥିଲେ ।