ଫୁଲବାଣୀ,ତୁମୁଡ଼ିବନ୍ଧ,ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଓ କଳାହାଣ୍ଡି ପୁଲିସର ମିଳିତ ଅଭିଯାନରେ ମାଓବାଦୀଙ୍କର ଦୁଇଟି କ୍ୟାମ୍ପ ଧ୍ୱଂସ କରାଯାଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଭୀନିତ୍ ଅଗ୍ରୱାଲ ସୂଚନା ଦେଇଛନ୍ତି। ଏସପିଙ୍କ ସୂଚନା ଅନୁଯାୟୀ ମାଓବାଦୀଙ୍କ ଚଳପ୍ରଚଳ ନେଇ ଗୁଇନ୍ଦା ସୂତ୍ରରୁ ଖବର ପାଇ ଗତ ୧୫ ତାରିଖରେ କନ୍ଧମାଳ ପୁଲିସର ଏସଓଜି ଓ ଡିବିଏଫ ଟିମ୍ ମିଳିତ ଭାବେ ପୋଖରୀବନ୍ଧ ରିଜର୍ଭ ଜଙ୍ଗଲରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ମାଓବାଦୀଙ୍କ ସହ ସୁରକ୍ଷା ବାହିନୀର ଗୁଳି ବିନିମୟ ହୋଇଥିଲା। ପ୍ରାୟ ୧୫ ମିନିଟ ଗୁଳି ବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲ ମଧ୍ୟକୁ ପଳାଇଥିଲେ। ସେହିପରି ପୁଲିସ ଟିମ୍ ସର୍ଚ୍ଚ ଅପରେସନ କରି ଏକ ମାଓ କ୍ୟାମ୍ପ ଠାବ କରିବା ସହ ସେଠାରୁ ୩ଟି ଦେଶୀ ବନ୍ଧୁକ, ଅନେକ ଔଷଧ, ମାଓ ପତ୍ରିକା, ମାଓ ପୋଷାକ, ବିଦ୍ୟୁତ ତାର ଆଦି ଜବତ କରିଥିଲା।
