ବାଲିତୁଠ,ଏନ୍ଏନ୍ଏସ୍: ଜେଏସ୍ଡବ୍ଲୁ ପ୍ରସ୍ତାବିତ ପ୍ରକଳ୍ପକୁ ନେଇ ଦୀର୍ଘ କିଛି ଦିନ ଧରି, ଢ଼ିଙ୍କିଆ ଅଞ୍ଚଳରେ ଲାଗିରହିଥିବା ଉତ୍ତେଜନା ବିସ୍ଫୋରକ ରୂପ ନେଇଛି। ଶୁକ୍ରବାର ଜିନ୍ଦଲ ବିରୋଧୀ ଆନ୍ଦୋଳନ କାରିଙ୍କୁ ପୁଲିସ ଗୋଡେଇ ଗୋଡେଇ ପିଟିବା ସହିତ ବିରୋଧୀ ଆନ୍ଦୋଳନ ନେତାଙ୍କୁ ଉଠେଇ ନେଇଛି। ପୁଲିସ ଲାଠି ମାଡରେ ୧୫ ରୁ ଉର୍ଦ୍ଧ ଆହତ ହୋଇଥିବା ଜଣାପଡିଛି। ଘଟଣାରୁ ଜଣାପଡିଛି, ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ପ୍ରସ୍ତାବିତ ଜିନ୍ଦଲ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠାକୁ ନେଇ ଢ଼ିଙ୍କିଆରେ ଦୀର୍ଘ ଦିନ ଧରି ବିରୋଧୀ ଆନ୍ଦୋଳନ ଚାଲିଥିବାବେଳେ ବିରୋଧୀ ଓ ପୁଲିସ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଦୀର୍ଘ କିଛି ଦିନ ଧରି ଉତ୍ତେଜନା ପ୍ରକାଶ ପାଇଆସୁଥିଲା। ବିରୋଧୀ ଆନ୍ଦୋଳନକୁ ଖାତିରି ନକରି ପ୍ରଶାସନ ପକ୍ଷରୁ ପାନବରଜ ଭଙ୍ଗା ଯାଇ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲିଥିଲା।
ପାଞ୍ଚ ଶହରୁ ଉର୍ଦ୍ଧ୍ୱ ଆନ୍ଦୋଳନ କାରିଙ୍କ ନାମରେ ପୁଲିସ ମାମଲା ରୁଜୁ କରି ଥିବା କାରଣରୁ ପୁଲିସ ଭୟରେ ଆନ୍ଦୋଳନ କାରିମାନେ ଢ଼ିଙ୍କିଆ ଗ୍ରାମର ତିନି ପ୍ରବେଶ ପଥରେ ବାଉଁଶ ଗେଟ୍ କରି ଜଗି ରହୁଥଲେ। ଯେଉଁଠି ପୁଲିସ ଓ ପ୍ରଶାସନ ପସିପାରୁ ନଥିଲା। ତେବେ ଆଜି ପ୍ରଶାସନ ପକ୍ଷରୁ ଢ଼ିଙ୍କିଆରେ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲିଥିବା ବେଳେ ଯୋର ଯବରଦସ୍ତ ପ୍ରଶାସନ ପକ୍ଷରୁ ପାନବରଜ ଭାଙ୍ଗି ଦିଆଯାଉଥିବାର ଖବର ପ୍ରଚାରିତ ହେବାରୁ, ଆଜି ପୂର୍ବାହ୍ନରେ ଆନ୍ଦୋଳନ କାରିମାନେ ସଂଗଠିତ ହୋଇ ନିଜ ପାନବରଜକୁ ସୁରକ୍ଷା ଦେବାପାଇଁ ମୁହାଁଇ ଥିଲେ। ଯେଉଁଥିରେ ଶତାଧିକ ପୁରୁଷ,ମହିଳା ଓ ଶିଶୁ ମାନେ ରହିଥିଲେ। ତେବେ ମାହାଳ ଗ୍ରାମ ସୀମାରେ ଅବସ୍ଥିତ ଗେଟ୍ ନିକଟରେ ଆନ୍ଦୋଳନ କାରିମାନେ ପହଞ୍ଚିବାପରେ, ଗେଟର ଅପର ପାର୍ଶ୍ୱରେ ଜଗି ରହିଥିବା ପୁଲିସ ସେମାନଙ୍କୁ ଅଟକାଇଥିଲା।
ଯେଉଁଥିପାଇଁ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୀର୍ଘ ସମୟଧରି ଉତ୍ତେଜନା ମୂଳକ ପରିସ୍ଥିତି ଲାଗି ରହିଥିଲାବେଳେ, କିଛି ଆନ୍ଦୋଳନ କାରୀମହିଳା ପୁଲିସ ଉପରକୁ ପରିଶ୍ରା ଫୋପାଡି ଥିଲେ। ପରିସ୍ଥିତି କ୍ରମଶଃ ଅଣାୟତ ହେବାରୁ ଘଟଣା ସ୍ଥଳରେ, ପୁଲିସ ଆନ୍ଦୋଳନ କାରିଙ୍କ ଉପରେ ଲାଠି ଚାର୍ଜ କରିଥିଲା। ଯେଉଁଠି ମହିଳା ଓ ଶିଶୁ ମାନେ ବାଦ୍ ପଡ଼ିନଥିଲେ। ଗ୍ରାମର ତିନି ପ୍ରବେଶ ପଥରେ ଥିବା ଗେଟଗୁଡିକକୁ ପୁଲିସ ଭାଙ୍ଗି ପକାଇ ଥିଲା।ବିରୋଧୀ ଆନ୍ଦୋଳନ ନେତା ଦେବେନ୍ଦ୍ର ସ୍ୱାଇଁଙ୍କ ସମେତ ଅନ୍ୟ ତିନିଜଣଙ୍କୁ ପୁଲିସ ଉଠେଇ ନେଇ ଏରସମା ଥାନାରେ ଅଟକ ରଖିଛି। ପରେ ପୁଲିସ ଢ଼ିଙ୍କିଆରେ ଫ୍ଲାଗ ମାର୍ଚ୍ଚ କରିଛି। ସମଗ୍ର ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲାବେଳେ, ସନ୍ଧ୍ୟା ପର୍ଯ୍ୟନ୍ତ ପରିସ୍ଥିତି ସାନ୍ତରହିଥିବାର ଜଣାପଡିଛି।