ଇଣ୍ଡିଆ ଓପନ୍: ସେମିଫାଇନାଲରେ ପିଭି ସିନ୍ଧୁ

ନୂଆଦିଲ୍ଲୀ,ଏଜେନ୍ସି: ଚଳିତ ଇଣ୍ଡିଆ ଓପନ ବ୍ୟାଡମିଣ୍ଟନ ୨୦୨୨ରେ ଦୁଇ ଥରର ଅଲମ୍ପିକ୍‌ ପଦକ ବିଜେତା ପିଭି ସିନ୍ଧୁଙ୍କ ଦମଦାର ପ୍ରଦର୍ଶନ ଜାରି। ଶୁକ୍ରବାର କେଡି ଯାଦବ ଷ୍ଟାଡିୟମରେ ଖେଳାଯାଇଥିବା କ୍ବାର୍ଟର-ଫାଇନାଲ ମୁକାବିଲାରେ ଜବରଦସ୍ତ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛନ୍ତି ସିନ୍ଧୁ। କ୍ବାର୍ଟର ମୁକାବିଲାରେ ସିନ୍ଧୁ, ୨୧-୭, ୨୧-୧୮ ସେଟ୍‌ରେ ଅସ୍ମିତା ଚାଲିହାଙ୍କୁ ହରାଇଛନ୍ତି। ଏହି ମ୍ୟାଚ୍‌ ୩୬ ମିନିଟ୍‌ ଧରି ଖେଳାଯାଇଥିଲା।

ସିନ୍ଧୁଙ୍କ ବ୍ୟତୀତ ସର୍ଟଲର ଲକ୍ଷ ସେନ ଓ ଆକର୍ଷୀ କଶ୍ୟପ ମଧ୍ୟ ସେମିଫାଇନାଲ ଟିକେଟ ହାତେଇଛନ୍ତି। ପ୍ରଥମ ସେଟ୍‌ରେ ୨୧-୭ ବ୍ୟବଧାନରେ ଏକତରଫା ବିଜୟ ହାସଲ କରିଥିଲେ ସିନ୍ଧୁ। ମାତ୍ର ଦ୍ବିତୀୟ ସେଟ୍‌ରେ ଅସ୍ମିତା କଡା ଟକ୍କର ଦେଇଥିଲେ। ମୁକାବିଲା ସଂଘର୍ଷପୂର୍ଣ୍ଣ ରହିଥିଲା ମାତ୍ତ ସିନ୍ଧୁ ୨୧-୧୮ରେ ବାଜିମାରିଥିଲେ।

ଅନ୍ୟପଟେ ଏଚ୍‌ଏସ ପ୍ରଣୟଙ୍କୁ ୧୪-୨୧, ୨୧-୯, ୨୧-୧୪ରେ ହରାଇ ସେନ୍‌ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଏହି ମ୍ୟାଚ ପ୍ରାୟ ୬୦ ମିନିଟ୍‌ ଧରି ଖେଳାଯାଇଥିଲା। ସେହିପରି କଶ୍ୟପ, ମାଳବିକା ବଂଶଦଙ୍କୁ ୨୧-୧୨ସ ୨୧-୧୫ ସେଟ୍‌ରେ ହରାଇଛନ୍ତି।