ସିଡ଼ିଏସ୍‌ ହେଲିକାପ୍ଟର ଦୁର୍ଘଟଣା ଘଟଣା: ପାଗ ସାଜିଥିଲା ଖଳନାୟକ, ଯାନ୍ତ୍ରିକ ତ୍ରୁଟିକୁ ତଦନ୍ତ ରିପୋର୍ଟରେ ଖଣ୍ଡନ

ନୂଆଦିଲ୍ଲୀ,ଏଜେନ୍ସି: ତ୍ରି-ସେନାର ମିଳିତ ତଦନ୍ତ ରିପୋର୍ଟ ଅନୁସାରେ ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସମେତ ୧୪ ଜଣଙ୍କ ନିଧନ ହେଲିକପ୍ଟର ଦୁର୍ଘଟଣା ପାଇଁ ହୋଇଥିଲା। ଏହି ଦୁଃଖଦ ଦୁର୍ଘଟଣାରେ କୌଣସି ଯାନ୍ତ୍ରିକ ତୃଟି ନଥିଲା। ବଂର ସେଦିନ ପାଣିପାଗ ହିଁ ସାଜିଥଲା ଦୁର୍ଘଟଣାର ଖଳନାୟକ ବୋଲି ପ୍ରାଥମିକ ରିପୋର୍ଟରେ ପ୍ରକାଶ ପାଇଛି।

ସିଡିଏସ୍‌ଙ୍କ ହେଲିକେପ୍ଟର ଦୁର୍ଘଟଣାକୁ ନେଇ ବାୟୁସେନା ଦେଇଥିବା କୋର୍ଟ ଅଫ ଇନକ୍ବାରୀର ପ୍ରାଥମିକ ରିପୋର୍ଟରୁ ଏଭଳି ତଥ୍ୟ ସାମନାକୁ ଆସିଛି। ସିଡିଏସ ଜେନେରାଲ ବିପିନ ରାୱତ ଯେଉଁ ହେଲିକପ୍ଟରରେ ଯାତ୍ରା କରୁଥିଲେ ତାହା ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଅତ୍ୟାଧୁନିକ ଥିଲା। ଯାତ୍ରା ପୂର୍ବରୁ ଓ ଯାତ୍ରା ବେଳେ କୌଣସି ଯାନ୍ତ୍ରିକ ତୃଟି ହୋଇନଥିଲା। କିମ୍ବା କୌଣସି ପ୍ରକାରର ବାହ୍ୟ ଶତୃର ଷଡଯନ୍ତ୍ର କିମ୍ବା ଅବହେଳା କି ଅର୍ନ୍ତଘାତୀ କାର୍ଯ୍ୟ ହୋଇନଥିଲା। ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା। ହଠାତ ପାଗ ପରିବର୍ତ୍ତନ ହୋଇଯିବାରୁ ପାଇଲଟ ସମସ୍ୟାରେ ପଡିଯାଇଥିଲେ। ହେଲିକପ୍ଟର ବାଦଲରେ ଫସି ପାହାଡରେ ଧକ୍କା ହୋଇଥିଲା। ଯଦ୍ବାରା ଏହି ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣା ଘଟିଥିଲା।

ବାୟୁସେନାର ଦେଇଥିବା କୋର୍ଟ ଅଫ ଇନକ୍ବାରୀ ଟିମ ଘଟଣାର ସମସ୍ତ ସମ୍ଭାବ୍ୟ ଆକ୍ରମଣ, ଷଡଯନ୍ତ୍ର ଦିଗକୁ ତନ୍ନ ତନ୍ନ କରି ଯାଞ୍ଚ କରିଛି। ଏହାସହ ଆବଶ୍ୟକୀୟ ଲୋକଙ୍କୁ ଜେରା କରିଛି। ଏତତ ବ୍ୟତୀତ ବ୍ଲାକବକ୍ସ ଓ ହେଲିକପ୍ଟରର ବିଭିନ୍ନ ଭଗ୍ନାଶଂକୁ ମଧ୍ୟ ଯାଞ୍ଚ କରି ସମସ୍ତ ତଥ୍ୟକୁ ସମୀକ୍ଷା କରିଛି।

ବାୟୁସେନା ପ୍ରମୁଖ ଏୟାର ମାର୍ଶଲ ବିଆର ଚୌଧୁରୀ, ଏୟାର ମାର୍ଶଲ ମାନବେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ହୋଇଥିବା ତ୍ରି-ସେନାସ୍ତରୀୟ ତଦନ୍ତର ଫଳାଫଳ ସମ୍ପର୍କରେ ସୂଚନା ଦେଇଛନ୍ତି। ତଦନ୍ତ ରିପୋର୍ଟ ପ୍ରଥମେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଗତ ୫ ଜାନୁୟାରୀରେ ପ୍ରଦାନ କରାଯାଇଛି। ଯେଉଁଥିରେ ଦର୍ଶାଯାଇଛି କି ହେଲିକପ୍ଟର ପାଇଲଟଙ୍କ ପୁରା ନିୟନ୍ତ୍ରଣରେ ଥିଲେ ମଧ୍ୟ ପାଗ ପରିବର୍ତ୍ତନ ପାଇଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ସୂଚନାଯୋଗ୍ୟ ଗତ ବର୍ଷ ଡିସେମ୍ବର ୮ରେ ସିଡିଏସ ଜେନେରାଲ ବିପିନ ରାୱତ ତାଙ୍କ ପତ୍ନୀ ମଧୁଳିକା ରାୱତ ଓ ଅନ୍ୟ ୧୨ ଜଣ ସେନା ଅଧିକାରୀ ସୁଲୁର ଏୟାର ବେସରୁ ୱେଲିଂଟନ ଏୟାର ଡିଫେନ୍ସ କଲେଜ ଯିବାବେଳେ କୁନ୍ନୁର ନୀଳଗିର ଅଞ୍ଚଳରେ ହେଲିକପ୍ଟର ଏମ୍‌ଆଇ-୧୭ଭି୫ ଦୁର୍ଘଟଣା ହୋଇଥିଲା। ଯେଉଁଥିରେ ୧୪ ଜଣଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ହୋଇଥିଲା।