ଲାଞ୍ଚ ନେଇ ଧରାପଡ଼ିଲେ ପୁଲିସ୍ ଏଏସ୍ଆଇ

କୋରାପୁଟ,କୋଟପାଡ,ଏନ୍ଏନ୍ଏସ୍: ଏକ ଜମିଜମା ମାମଲା ରଫାଦଫା କରିବାକୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜାଲାନ୍ସ ଜାଲରେ ଫସିଛନ୍ତି କୋଟପାଡ଼ ଥାନାର ଏଏସ୍ଆଇ ଶରତ କୁମାର ସାହୁ। ଭିଜିଲାନ୍ସ ବିଭାଗ ଲାଞ୍ଚ ଟଙ୍କା ସହ ତାଙ୍କ ରୁମରୁ ୩ଲକ୍ଷ ୬୯ ହଜାର ଟଙ୍କା ଜବତ କରିଛି।

ସୂଚନା ଅନୁଯାୟୀ, କୋଟପାଡ଼ ବେଲମା ସାହିର ପ୍ରଶାନ୍ତ କୁମାର ବିଶ୍ୱାଳ ନାମକ ବ୍ୟକ୍ତି ଏକ ଜମି ବିବାଦକୁ ନେଇ ଗତ ମାସ ୧୦ ତାରିଖରେ ପୁଲିସର ଦ୍ୱାରସ୍ଥ ହୋଇଥିଲେ। ଏଏସଆଇ ଶ୍ରୀ ସାହୁ ମାମଲାର ତଦନ୍ତ କରି ରିପୋର୍ଟ ଦେବା ଓ ଜମି ଡିମାର୍କେସନ୍ ନିମନ୍ତେ ତହସିଲଦାରଙ୍କୁ ଚିଠି କରିବାକୁ ଅଭିଯୋଗକାରୀ ଶ୍ରୀ ବିଶ୍ୱାଳଙ୍କୁ ୭୦୦୦ ଟଙ୍କା ଲାଞ୍ଚ ମାଗିଥିଲେ।

ଅଭିଯୋଗକାରୀ ଘଟଣା ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ଡିଭିଜନ୍ ଏସ୍ପିଙ୍କୁ ଜଣାଇଥିଲେ। ଭିଜିଲାନ୍ସ ଡିଏସ୍ପି କେ.କେ. ପାତ୍ରଙ୍କ ନେତୃତ୍ୱରେ ଇନସ୍ପେକ୍ଟର ସୂର୍ଯ୍ୟକାନ୍ତି ଟାକ୍ରୀ, ରୂପଧର ନାୟକ,ସବ-ଇନସ୍ପେକ୍ଟର ଭୀମସେନ ପୂଜାରୀ, ଏଏସଆଇ ସୀତାକାନ୍ତ ଖମାରୀଙ୍କୁ ନେଇ ଗଠିତ ଏକ ଟିମ୍ ଗୁରୁବାର ରାତିରେ ଶ୍ରୀ ସାହୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବାବେଳେ ଧରିଥିଲେ।

ଭିଜିଲାନ୍ସ ଲାଞ୍ଚୁଆ ଏଏସଆଇଙ୍କୁ ଗିରଫ କରି ସେ ରହୁଥିବା ଥାନାର ଏକ କଠୋରୀରେ ତଲାସି କରିବା ବେଳେ ରୁମରୁ ନଗଦ ୩ ଲକ୍ଷ ୬୯ ହଜାର ଟଙ୍କା ଜବତ କରିଛି। ରୁମରୁ ଜବତ ଟଙ୍କା ସମ୍ପର୍କରେ ଅଧିକ ଛାନ୍ ଭିନ ଚାଲିଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି।