ମୋ ସରକାର କଣ୍ଟ୍ରୋଲ ରୁମରେ ଡିଜିପି: ଏଣିକି ତାଗିଦ ନୁହେଁ, କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅନ୍ତରିଣ ପୁଲିସ ଡିଜି ସତ୍ୟଜିତ ମହାନ୍ତି ମୋ ସରକାର କଣ୍ଟ୍ରୋଲ ରୁମ୍ରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଅଭିଯୋଗକାରୀଙ୍କ ସହ କଥା ହୋଇଛନ୍ତି। ପୁଲିସ ପ୍ରତି ଲୋକଙ୍କ ଭାବନା କେମିତି ଅଛି, ତାହା ଜାଣିବାକୁ ଚେଷ୍ଟା କରିଥିଲେ। ଅଭିଯୋଗକାରୀଙ୍କ ସହ କଥା ହେବା ପରେ ଡିଜିପି ପୁଲିସ କାର୍ଯ୍ୟପ୍ରତି ସନ୍ତୋଷ ବ୍ୟକ୍ତ କରିଥିଲେ। ଏଣିକି ଆଉ ତାଗିଦ ନୁହେଁ, ବରଂ ଲୋକଙ୍କ ମାର୍କକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଡିଜି ଚେତାବନୀ ଦେଇଥିବା ଜଣାପଡିଛି।

ଗୁରୁବାର ପୁଲିସ ଡିଜି ଶ୍ରୀ ମହାନ୍ତି ରାଜ୍ୟ କ୍ରାଇମ୍ ରେକର୍ଡ ବ୍ୟୁରୋସ୍ଥିତ କଲସେଣ୍ଟରରୁ ଅଭିଯୋଗକାରୀଙ୍କୁ ଫୋନ କରିଥିଲେ। ସିସିଟିଏନ୍ଏସ୍ ରେ ଥିବା ନମ୍ବରକୁ ଆଧାର କରି ବିଭିନ୍ନ ଲୋକଙ୍କୁ ଫୋନ କରି ସିଧାସଳଖ କଥା ହୋଇଥିଲେ। କଟକ, ଭୁବନେଶ୍ୱର, ଭଦ୍ରକ, ବଲାଙ୍ଗିରର ଓ ପୁରୀ ଜିଲ୍ଲାର ୧୫ରୁ ଊଦ୍ଧ୍ୱର୍ ଅଭିଯୋଗକାରୀଙ୍କ ସହ କଥା ହୋଇଥିଲେ। ଅଭିଯୋଗ ନେଇ ଥାନାକୁ ଯାଇଥିବା ବେଳେ ସେଠାରୁ ତାଙ୍କର ଏତଲା ରଖାଗଲା କି ନାହିଁ, ବ୍ୟବହାର ଠିକ ଭାବେ କରାଗଲା କି ନାହିଁ, ଏତଲା କପି ମେସେଜରେ ପଠାଗଲା କି ନାହିଁ, ଏଭଳି ୮ଟି ପ୍ରଶ୍ନ ପଚାରିଥିଲେ। ଉକ୍ତ ପ୍ରଶ୍ନ ମଧ୍ୟରୁ କେଉଁ ପ୍ରଶ୍ନର କେତେ ମାର୍କ ମିଳବ, ତାହା ମଧ୍ୟ ପଚାରିଥିଲେ। ତେବେ ପୁଲିସ ଡିଜିଙ୍କ ଏଭଳି ଫୋନ କଲ ସାଧାରଣ ଜନତାଙ୍କୁ ଉତ୍ସାହିତ କରିଥିଲା।

ଗତ ଅକ୍ଟୋବର ୨ ତାରିଖରୁ ସାରା ରାଜ୍ୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କୁ ଫୋନ କରି ସମସ୍ୟା ସମ୍ପର୍କରେ ପଚାରିବୁଝିଥିଲେ। ବିଶେଷ କରି ଥାନା-ଫାଣ୍ଡିକୁ ନ୍ୟାୟ ପାଇଁ ଆସୁଥିବା ଲୋକେ କିପରି ହଇରାଣ ହରକତ ନହେବେ, ସେ ନେଇ ଅଧିକ ଗୁରୁତ୍ୱ ଦିଆଯାଉଛି। ମୋ ସରକାର କାର୍ଯ୍ୟକ୍ରମ ଲାଗି ଭୁବନେଶ୍ୱର ରସୁଲଗଡ଼ରେ ଥିବା ଷ୍ଟେଟ କ୍ରାଇମ୍ ରେକର୍ଡ ବ୍ୟୁରୋ ମୁଖ୍ୟାଳୟରେ ରାଜ୍ୟସ୍ତରୀୟ କଲସେଣ୍ଟର ଖୋଲା ଯାଇଛି। ଡିଜିପିଙ୍କ ସହ କ୍ରାଇମରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ ରାଜେଶ କୁମାର, ଏସପି (କମ୍ପ୍ୟୁଟର) ଶତୀଶ ଗଜଭିୟେଙ୍କ ସହ ବହୁବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଉଲ୍ଲେଖଥାଉ କି, ରାଜ୍ୟସ୍ତରୀୟ କଲସେଣ୍ଟରରୁ ୫୦ ହଜାରରୁ ଅଧିକ ଏତଲାକାରୀଙ୍କ ପାଖକୁ ଫୋନ କଲ ଯାଇଛି। ସେମାନଙ୍କ ତଥ୍ୟକୁ ଆଧାର କରି ପୁଲିସ ଡିଜି ରିପୋର୍ଟ କାର୍ଡ ପ୍ରସ୍ତୁତ କରି କେତେକ ଅଫିସରଙ୍କୁ ସାବାସୀ ଦେଇଥିବା ବେଳେ ୮୫ ଜଣ ଅଫିସରଙ୍କୁ ତାଗିଦ କରିଛନ୍ତି। ନିଜର ଆଚାର ବ୍ୟବହାରରେ ପରିବର୍ତ୍ତନ ଓ କାର୍ଯ୍ୟଦକ୍ଷତା ପ୍ରତିପାଦନ କରିବାକୁ କହିଥିଲେ।