ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ପୁଲିସ-ଗ୍ରାମବାସୀ ମୁହାଁମୁହିଁ

ବରଗଡ଼, ଏନ୍ଏନ୍ଏସ୍: ବରଗଡ଼ ଭେଡେନ ଥାନା ବୁର୍ଦ୍ଦା ଗ୍ରାମରେ ପୁଲିସ-ଗ୍ରାମବାସୀ ମୁହାଁମୁହିଁ ହେବାସହ ସେଠାରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ପ୍ରକାଶ ଯେ, ବୁର୍ଦ୍ଦା ଗ୍ରାମର ଜିତୁ ନାଏକ ମୃତ୍ୟୁ ଘଟଣାକୁ ନେଇ ଗତ ମାସ ୧୭ ତାରିଖରେ ଗ୍ରାମବାସୀ ଭେଡେନ ଥାନା ଘେରାଉ କରିଥିଲେ । ସେ ସମୟରେ ପୁଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ହେବାସହ ଗ୍ରାମବାସୀ ପୁଲିସ ଉପରକୁ ଟେକାପଥର ମାଡ କରିଥିଲେ । ଅନୁରୂପ ଭାବେ ପୁଲିସ ମଧ୍ୟ ଲାଠି ଚାର୍ଜ କରିଥିଲା । ଏନେଇ ବୁର୍ଦ୍ଦା ଗ୍ରାମର ୨୯ ଜଣଙ୍କ ସହ ଅନ୍ୟମାନଙ୍କ ନାମରେ ପୁଲିସ ମାମଲା ରୁଜୁ କରିଥିଲା । ଉକ୍ତ ମାମଲାକୁ ନେଇ ମଙ୍ଗଳବାର ବୁର୍ଦ୍ଦା ଗ୍ରାମରେ ଭେଡେନ ପୁଲିସ ପହଞ୍ଚିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବା ସହ ଗ୍ରାମବାସୀ ଦୁଇଜଣ ପୁଲିସ କର୍ମଚାରୀଙ୍କୁ ଅଟକ ରଖିଥିଲେ । ଘଟଣା ଜଣାପଡିବା ପରେ ବରଗଡ଼ରୁ ୪ ପ୍ଲାଟୁନ ପୁଲିସ ଫୋର୍ସ ପହଞ୍ଚି ବୁର୍ଦ୍ଦା ଗ୍ରାମକୁ ଘେରିଯିବାସହ ଅଟକ ପୁଲିସ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ । ଅପରପକ୍ଷେ ଗ୍ରାମବାସୀ ରାସ୍ତାର ପ୍ରବେଶ ପଥରେ ଏକ ଗଛ କାଟି ରାସ୍ତା ଅବରୋଧ କରି ବସି ରହିଥିଲେ । ପରେ ଡିଏସପି ସୁଧାକର ସାହୁ , ଏସଡିପିଓ ଦିପକ କୁମାର ଗୋଚ୍ଛାୟତ , ବରଗଡ଼ ସଦର ଥାନା ଅଧିକାରୀ ଦିଲୀପ ବେହେରା, ଭେଡେନ ଥାନା ଅଧିକାରୀ ହେମନ୍ତ ରାଓଙ୍କ ନେତୃତ୍ୱରେ ଗ୍ରାମକୁ ପ୍ରବେଶ କରିବା ସହ ୧୭ ଜଣ ପୁରୁଷ ଏବଂ ୧୪ ଜଣ ମହିଳାଙ୍କୁ ଥାନାକୁ ଆଣି ଅଟକ ରଖିଛନ୍ତି । ବୁର୍ଦ୍ଦା ଗ୍ରାମରେ ଉତ୍ତେଜନା ଜାରି ରହିଥିବା ବେଳେ ବର୍ତ୍ତମାନ ସେଠାରେ ଗୋଟିଏ ପ୍ଲାଟୁନ ଫୋର୍ସ ଜଗିରହି ପରିସ୍ଥିତି ଉପରେ ନଜର ରଖିଛନ୍ତି ।