କୋରାପୁଟରେ ଭାରତ ବନ୍ଦର ଆଂଶିକ ପ୍ରଭାବ

କୋରାପୁଟ,ଏନ୍ଏନ୍ଏସ୍: କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତିକୁ ବିରୋଧ କରି ବିଭିନ୍ନ ଶ୍ରମିକ ସଂଗଠନ ଦ୍ୱାରା ଆହ୍ୱାନ କରାଯାଇଥିବା ଭାରତ ବନ୍ଦର ପ୍ରଭାବ କୋରାପୁଟ ଜିଲ୍ଲାରେ ଆଂଶିକ ଭାବେ ଦେଖିବାକୁ ମିଳିଛି। ଜିଲ୍ଲାରେ ଯାନବାହାନ ଚଳାଚଳ ବନ୍ଦ ସହ ସମସ୍ତ ସରକାରୀ ଅଫିସ୍ ଓ ବ୍ୟାଙ୍କ୍ ବନ୍ଦ ରହିଥିବାବେଳେ ଦୋକାନ ବଜାର ଖୋଲା ରହିଥିଲା। କଂଗ୍ରେସ ନେତା କୃଷ୍ଣ କୁଳଦୀପ, ପୂର୍ବତନ ବିଧାୟକ ନିମାଇ ସରକାର, ପୂର୍ବତନ ଡିସିସି କାର୍ଯ୍ୟକାରୀ ସଭାପତି ରୂପକ ତୁରୁକ୍, କୋରାପୁଟ ବ୍ଲକ୍ ଅଧ୍ୟକ୍ଷା ନମିତା ମାଝୀ, ସାଂସଦ ପ୍ରତିନିଧି ବାବୁଲା ବେନ୍ୟା, ଜଗଦିଶ ଖୋସ୍ଲା, ଆଇଏନଟିୟୁସିର ଭଗବାନ ବାହିନୀପତି, କଂଗ୍ରେସ ନେତା ରମେଶ ବାଙ୍କିଆ, ବିଜୟ କୁମାର ରାଓ, ସମିତି ସଭ୍ୟା ସୁନିତା ଗାଦବା ପ୍ରମୁଖ ରାଜପଥ ଅବରୋଧ କରିବା ସହ କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକମାରଣ ଆଇନକୁ ବିରୋଧ କରିଥିଲେ। ନରେନ୍ଦ୍ର ମୋଦୀ ନେତୃତ୍ୱାଧୀନ କେନ୍ଦ୍ର ସରକାର ପୁଞ୍ଜିପତିଙ୍କ ସ୍ୱାର୍ଥ ପୂରଣରେ ସାଲିସ୍ ହୋଇଥିବା ଅଭିଯୋଗ କରି ନାଲକୋ, ବିଏସଏନଏଲର ଘରୋଇକରଣ, ତୈଳଦର ବୃଦ୍ଧି, ଖାଉଟି ସାମଗ୍ରୀ ଦର ନିୟନ୍ତ୍ରଣରେ ବିଫଳ ପ୍ରସଙ୍ଗ ଉଠାଇ ସମାଲୋଚନା କରିଥିଲେ। କୋରାପୁଟ ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ସହର ଜୟପୁର, ସେମିଲିଗୁଡ଼ା, କୋଟପାଡ଼, ଶିଳ୍ପ ନଗରୀ ଦାମନଯୋଡ଼ି ଓ କୋଟପାଡ଼ରେ ମଧ୍ୟ ବିଭିନ୍ନ ସଂଗଠନ ଦ୍ୱାରା ଆହ୍ୱାନ ଦିଆଯାଇଥିବା ଭାରତ ବନ୍ଦର ସାମାନ୍ୟ ପ୍ରଭାବ ପଡ଼ିଛି।