ଯବାନ ଓ ମାଓବାଦୀ ଗୁଳି ବିନିମୟ ଘଟଣା, ମାଓ କ୍ୟାମ୍ପ ଧ୍ୱଂସ

ଫୁଲବାଣୀ,ଚକାପାଦ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅଞ୍ଚଳରେ ଥିବା ଲେଙ୍ଗେରିମୁଣ୍ଡା ଜଙ୍ଗଲରେ ଗୁରୁବାର ସକାଳେ ମାଓବାଦୀଙ୍କ ସହ ଡିଭିଏଫ ଏବଂ ଏସଓଜି ଯବାନମାନେ ମୁହାଁମୁହିଁ ହୋଇଥିଲେ। ଯବାନଙ୍କ ପକ୍ଷରୁ ବାରମ୍ବାର ଆତ୍ମସମର୍ପଣ ପାଇଁ ଆହ୍ୱାନ ଦିଆଯାଇଥିଲେ ମଧ୍ୟ ମାଓବାଦୀ ଆତ୍ମସମର୍ପଣ ବଦଳରେ ତୁହାକୁ ତୁହା ଗୁଳି ଚାଳନା କରିଥିଲେ । ୨୦ ମିନିଟ୍ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିୟ ହୋଇଥିବା ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସପି ଭିନିତ୍ ଅଗୱାଲା ସୂଚନା ଦେଇଛନ୍ତି। ଘଞ୍ଚ ଜଙ୍ଗଲ ଆଢୁଆଳର ସୁଯୋଗ ନେଇ ମାଓବାଦୀ ମାନେ ଖସିପଳାଇଥିଲେ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ପୁଲିସ ଏକ ମାଓ କ୍ୟାମ୍ପକୁ ଠାବ କରିବା ସହିତ ତାହାକୁ ଧ୍ୱଂସ କରିଛି। ଉକ୍ତ କ୍ୟାମ୍ପରୁ ୨ଟି ହେଣ୍ଡ ଗ୍ରେନେଡ,୨ପକେଟ ବିସ୍ଫୋରକ ସାମଗ୍ରୀ, ଡେଟୋନେଟର, ମାଓ ପୋଷାକ, ଗୁଳି ରଖାଯିବା ପାଉଚ, କିଛି ପରିମାଣର ଲୁହାର ଟୁକୁଡା, ମାଓ ପୁସ୍ତିକା ସମେତ ବିପୁଳ ପରିମାଣର ମାଓ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଛି।