କାର୍ଯ୍ୟରେ ଅବହେଳା ଯୋଗୁଁ ୪ଟି ହାଇସ୍କୁଲର କର୍ମଚାରୀଙ୍କ ଦରମା ବନ୍ଦ କଲେ ଶିକ୍ଷାଧିକାରୀ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ୪ ଟି ହାଇସ୍କୁଲର ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ। ସମ୍ପୃକ୍ତ ହାଇସ୍କୁଲ ଗୁଡିକ ହେଲା ଜମୁନାପଶିର ବିଶୋଇ ପାଟ ହାଇସ୍କୁଲ, ଖିରେଇଟାଙ୍ଗିରି ହାଇସ୍କୁଲ, ଡେଣୁଆର ଝାଲମଣି ହାଇସ୍କୁଲ ଓ ବଲାଣିପଶିର ପିଏମବି ହାଇସ୍କୁଲ। ଏହି ବିଦ୍ୟାଳୟ ଗୁଡିକ ସରକାରୀ ଗାଇଡଲାଇନକୁ ଉଲ୍ଲଙ୍ଘନ କରିବା, ବିଦ୍ୟାଳୟ ପରିବେଶକୁ ସଫା ସୁତରା କରିନଥିବା ଏବଂ କାର୍ଯ୍ୟରେ ଅବହେଳା କରିଥିବାରୁ କର୍ମଚାରୀଙ୍କ ଦରମା ବନ୍ଦ କରାଯାଇଛି। ସୂଚନା ଯୋଗ୍ୟ, ଶୁକ୍ରବାର ଠାରୁ ରାଜ୍ୟରେ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ବିଦ୍ୟାଳୟ ଖୋଲିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଶିକ୍ଷା ଅଧିକାରୀ ସଂଗ୍ରାମ ସାହୁ ଓ ଡିପିସି ପୂର୍ଣ୍ଣ ଚନ୍ଦ୍ର ସେଠୀ ପ୍ରମୁଖ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଗାଇଡ଼ଲାଇନ ଉଲ୍ଲଙ୍ଘନ କରିଥିବା ଦେଖିବାକୁ ପାଇବା ପରେ ପାଟଣା ବ୍ଲକର ୪ ଟି ହାଇସ୍କୁଲ ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ କରିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।