ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଲିସ ଓ ଜିଲ୍ଲା ପ୍ରଶାସନର ଅଚାନକ ପରିଦର୍ଶନ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ୫ଟି ଅନ୍ତର୍ଗତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ଭିତ୍ତିଭୂମିର ବାସ୍ତବିକ ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ଏସପି ପ୍ରମୋଦ କୁମାର ରଥ ଅଚାନକ ପହଞ୍ଚିଥିଲେ । ପୂର୍ବାହ୍ନରେ ପ୍ରଶାସନିକ ଅଧିକାରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହଠାତ ପହଞ୍ଚି ଭେଷଜ, ସ୍ତ୍ରୀ ଓ ପ୍ରସୂତି, ଡାଏଲେସିସ, ଏସଏନସିୟୁ, ପୃଷ୍ଟି ସାଧନ କେନ୍ଦ୍ର ଓ ଅସ୍ତ୍ରୋପୋଚାର ଗୃହ ସମେତ ବିଭିନ୍ନ ୱାର୍ଡରେ ଥିବା ରୋଗୀ ଓ ସମ୍ପର୍କୀୟଙ୍କ ସହ ଆଲୋଚନା କରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସେବା ସମ୍ପର୍କରେ ଆପତ୍ତି ଅଭିଯୋଗ ପଚାରି ବୁଝିଥିଲେ । ସେହିପରି ସ୍ୱାସ୍ଥ୍ୟ ସେବା ବଦଳରେ କେହି ଅର୍ଥ ଦାବୀ କରୁଥିବା କିମ୍ୱା ଦଲାଲଙ୍କ ସମ୍ପୃକ୍ତି ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ । ତେବେ ସ୍ୱାସ୍ଥ୍ୟ ବିଭାଗର ସେବାରେ ରୋଗୀ ଓ ପରିଜନ ସନ୍ତୁଷ୍ଟ ଥିବା ଜାଣିବା ପରେ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ସନ୍ତୋଷ ପ୍ରକାଶ କରିଥିଲେ । ଜିଲ୍ଲା ପ୍ରଶାସନର ଏହି ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସାଧନା ଦାଶ, ଡାକ୍ତର ମନୋରଞ୍ଜନ ସାମଲ, ଡିପିଏମ ଉମେଶ ପ୍ରସାଦ ଷଡ଼ଙ୍ଗୀ ଓ ଏସଡିପିଓ ଅନିଲ କୁମାର ବେଉରିଆ ପ୍ରମୁଖ ଉପସ୍ଥିତ ଥିଲେ ।