ପୁଲିସ ଓ ବିଏସ୍ଏଫର ମିଳିତ ଅପରେସନ: ବହୁ ମାଓ ସାମଗ୍ରୀ ଜବତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ପୁଲିସ ଓ ବିଏସ୍ଏଫ ଯବାନଙ୍କ ମିଳିତ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ଓଡ଼ିଶା ପୁଲିସ ଓ ଯୋଡ଼ାମ୍ବ କ୍ୟାମ୍ପର ୯ମ ବାଟାଲିୟନର ବିଏସ୍ଏଫ ଯବାନମାନେ ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ ଥାନା ଅନ୍ତର୍ଗତ ମୁକୁଲିପାଲ୍ଲୀ, ଗୋରାସେତୁ, ବେଜିଂ, ଜମ୍ପଲୁରୁ ପାରଲୁବନ୍ଧ ଗ୍ରାମ ଅଞ୍ଚଳରେ ମିଳିତ ଅପରେସନ କରୁଥିବାବେଳେ ମାଓବାଦୀଙ୍କ ଦ୍ୱାରା ମାଟିତଳେ ପୋତାଯାଇଥିବା ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।

ଏଥିରେ ଗୋଟିଏ ରିଭଲଭର, ଗୋଟିଏ କ୍ଲେମର ମାଇନ, ୩ ମିଟର କଡେକ୍ସ ତାର, ୮ ଟି ଇଲେକଟ୍ରୋନିକ ଡିଟୋନେଟର, ୪୦ କିଲୋର ଅକ୍ସିଜେନ ସିଲିଣ୍ଡର, ଗୋଟିଏ ଜିପିଏସ ପାଉଚ, ଏକ କିଲୋଗ୍ରାମ ୪ ଶହ ଗ୍ରାମର ଧଳା, କଳା ଓ ରୂପା ରଙ୍ଗର ବିସ୍ଫୋରକ ସାମଗ୍ରୀ, ବହୁ ମାଓ ପୁସ୍ତିକା ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ଏହି ସାମଗ୍ରୀ ସୁରକ୍ଷାକର୍ମୀ ଓ ନିରୀହ ଆଦିବାସୀଙ୍କ ବିରୋଧରେ ବ୍ୟବହାର କରିବା ପାଇଁ ଲୁଚାଇ ରଖିଥିବା ସନ୍ଦେହ କରାଯାଉଥିବା ସହ ଏହାର ତଦନ୍ତ ଜାରି ରହିଥିବା ଏସଡିପିଓ ପ୍ରହଲ୍ଲାଦ ସହାଇ ମୀନା ପ୍ରକାଶ କରିଛନ୍ତି।