ବ୍ୟାପକ ପରିମାଣର ଗଞ୍ଜେଇ ଜବତ, ୨ଗିରଫ

ଦାରିଙ୍ଗବାଡି,ଏନ୍ଏନ୍ଏସ୍: ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଦାରିଙ୍ଗବାଡ଼ି ପୁଲିସ ତରଫରୁ ଚଢ଼ଉ କରାଯାଇ ଗଞ୍ଜେଇ ସହିତ ଚାଲାଣରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ଗିରଫ କରାଯାଇଛି। ଏଥି ସହ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି l ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଲ ଗ୍ରାମର ଉଲ୍ଲାସ ଚନ୍ଦ୍ର ମଲ୍ଲିକ ଏବଂ ଅନ୍ୟଜଣେ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା ଗୁଞ୍ଜିବାଡି ଗ୍ରାମର ମିଥୁନ ଦିଗାଲ। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ସାଢ଼େ ୨ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି।

ପୁଲିସର ସୂଚନା ଅନୁସାରେ ଦାରିଙ୍ଗବାଡ଼ି ଥାନା କିରିକୁଟୀ ପଞ୍ଚାୟତର ଆଦିବାସୀ ଗ୍ରାମର ୫୯ ନମ୍ବର ଜାତୀୟ ରାଜପଥ ନିକଟରେ ୨ ଜଣ ଗଞ୍ଜେଇ ଚାଲାଣକାରୀ ରାସ୍ତା କଡ଼ରେ ଗଞ୍ଜେଇ ରଖି ଗାଡ଼ି ଅପେକ୍ଷାରେ ଥିଲେ। ତେବେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଥାନା ଅଧିକାରୀ ସୂଚନା ପାଇବା ପରେ ଥାନା ଅଧିକାରୀ କୌଶିକ ମାଝୀ ନିଜ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ଗଞ୍ଜେଇ ସହିତ ଦୁଇଜଣ ଚାଲାଣକାରୀକୁ ଗିରଫ କରିଥିଲେ। ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏନେଇ ଦାରିଙ୍ଗବାଡି ଥାନାରେ କେସ ନମ୍ବର ୧୨୮/୨୦ରେ ମାମଲା ରୁଜୁ କରାଯାଇଛି।