ବୋଲେରୋ ଧକ୍କାରେ ୫ ବର୍ଷର ଶିଶୁ ମୃତ

ବାଲିଗୁଡା,ଏନ୍ଏନ୍ଏସ୍: ଗାଡି ଧକ୍କା ଘଟଣାରେ ଆଜି ଜଣେ ପାଞ୍ଚ ବର୍ଷ ଶିଶୁର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଗୁଞ୍ଜିବାଡ଼ି ପଞ୍ଚାୟତର ଜିଡୁବାଡ଼ି ଛକ ନିକଟ ନିଜ ଘର ସାମ୍ନାରେ ସୁଶୀଳ ପ୍ରଧାନଙ୍କ ୫ ବର୍ଷର ଶିଶୁ ଯାଦବ ପ୍ରଧାନ ଠିଆ ହୋଇଥିବା ସମୟରେ ଏକ ବୋଲେରୋ ଧକ୍କା ଦେଇ ଚାଲିଯାଇଥିଲା।

ଗୁରୁତର ଅବସ୍ଥାରେ ପରିବାର ଲୋକେ ଶିଶୁଟିକୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ, ହେଲେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଘଟଣାରେ ସୋମବାର ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ସହ ବୋଲେରୋ ଚାଳକକୁ ଗିରଫ ଦାବିରେ ଗୁଞ୍ଜିବାଡ଼ିଠାରେ ବାଲିଗୁଡ଼ା-ରାଇକିଆ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଫଳରେ ବାଲିଗୁଡ଼ାରୁ ବ୍ରହ୍ମପୁର, ଭୁବନେଶ୍ୱର ମଧ୍ୟରେ ଯାତାୟାତ ଠପ୍‌ ହୋଇଯାଇଥିଲା।

ଖବରପାଇ ଘଟଣାସ୍ଥଳରେ ଜି.ଉଦୟଗିରି ଏସଡିପିଓ, କ.ନୂଆଗାଁ ତହସିଲଦାର ଓ ସାରଙ୍ଗଡ଼ ଥାନା ଅଧିକାରୀ ପହଞ୍ଚି ଦୀର୍ଘ ସମୟ ଧରି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଏକ ଲକ୍ଷ ଟଙ୍କା କ୍ଷତିପୂରଣ ସହ ବୋଲେରୋ ଚାଳକକୁ ଗିରଫ କରିବା ପରେ ଦୀର୍ଘ ୬ ଘଣ୍ଟା ଧରି ହୋଇଥିବା ରାସ୍ତାରୋକ ହଟିଥିଲା।