ପିଏମସି ବ୍ୟାଙ୍କ ଟଙ୍କା ଉଠାଣ ସୀମା ବୃଦ୍ଧି

ନୂଆଦିଲ୍ଲୀ,ଏଜେନ୍ସି: ପଞ୍ଜାବ ଏବଂ ମହାରାଷ୍ଟ୍ର କୋ-ଅପରେଟିଭ୍ ବ୍ୟାଙ୍କ (ପିଏମସି ବ୍ୟାଙ୍କ)ର ଗ୍ରାହକମାନଙ୍କୁ ଦୀପାବଳି ପୂର୍ବରୁ ଆରବିଆଇ ତରଫରୁ ଆଶ୍ୱସ୍ତି ଦିଆଯାଇଛି। ଏହା ଅନ୍ତର୍ଗତ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ୟାଙ୍କର ଟଙ୍କା ଉଠାଣ ସୀମାକୁ ବୃଦ୍ଧି କରିଛି। ବର୍ତ୍ତମାନ ପିଏମସି ବ୍ୟାଙ୍କର ଆକାଉଣ୍ଟଧାରୀମାନେ ନିଜନିଜ ଆକାଉଣ୍ଟରୁ ଜରୁରୀକାଳିନ ପରିସ୍ଥିତିରେ ୫୦ ହଜାରରୁ ଅଧିକ ଟଙ୍କା ଉଠାଣ କରିପାରିବେ। ବିବାହ, ବରିଷ୍ଠ ନାଗରିକଙ୍କ ଖର୍ଚ୍ଚ ଏବଂ ଶିକ୍ଷା ପାଇଁ ମଧ୍ୟ ଅତିରିକ୍ତ ଟଙ୍କା ଉଠାଣ କରିହେବ। ଏପରି ସ୍ଥିତିରେ ଜମାକାରୀମାନେ ଅତିରିକ୍ତ ୫୦ ହଜାର ଟଙ୍କା ଉଠାଇପାରିବେ।

ଉଠାଣ ସମୟରେ ଗ୍ରାହକମାନଙ୍କୁ ଏ ସମ୍ବନ୍ଧରେ କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବାକୁ ହେବ। ଚିକିତ୍ସା ସମ୍ବନ୍ଧିତ ଜରୁରୀ ଖର୍ଚ୍ଚ ପାଇଁ ଗ୍ରାହକମାନଙ୍କୁ ଡାକ୍ତରଙ୍କ ଠାରୁ ଆନୁମାନିକ ଖର୍ଚ୍ଚ ସମ୍ବନ୍ଧରେ ତଥ୍ୟ ଜମା କରିବାକୁ ହେବ। ଏହାଛଡ଼ା ମେଡିକାଲ୍ ସାର୍ଟିଫିକେଟ୍, ମେଡିକାଲ୍ ରିପୋର୍ଟ ଏବଂ ମେଡିକାଲ୍ ବିଲ୍ ଆଦି ଜମା କରିବାକୁ ହେବ। ସେହିପରି ମେଡିକାଲ୍ ସହ ସମ୍ବନ୍ଧିତ କୌଣସି ଆବଶ୍ୟକତା ପାଇଁ ଟଙ୍କା ଉଠାଇବାକୁ ହେଲେ ଗ୍ରାହକମାନଙ୍କୁ ଏ ସମସ୍ତ ପ୍ରମାଣ ଦେବାକୁ ହେବ।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ପିଏମସି ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଅଛି ବୋଲି ଆରବିଆଇ ଅଧିକାରୀମାନେ କହିଥିଲେ। ଟଙ୍କା ଉଠାଣରେ ନିର୍ଦ୍ଦିଷ୍ଟ ସୀମା ଧାର୍ଯ୍ୟକୁ ନେଇ ମୁମ୍ବାଇର ଆଜାଦ୍ ମଇଦାନରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ପିଏମସି ବ୍ୟାଙ୍କର ପ୍ରତିନିଧିମଣ୍ଡଳ ସହିତ ଆରବିଆଇ ଅଧିକାରୀମାନେ ସାକ୍ଷାତ କରି ୧୯ଟି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ସମସ୍ୟାର ସମାଧାନ ପାଇଁ ବ୍ୟାଙ୍କର ଜମାକାରୀମାନେ ଆରବିଆଇ ଅଧିକାରୀଙ୍କୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ସମୟ ଦେଇଥିବାବେଳେ ଅକ୍ଟୋବର ୨୭ରେ ଏହି ପ୍ରସଙ୍ଗରେ ବିବୃତି ଜାରି କରାଯିବ ଏବଂ ପିଏମସି ବ୍ୟାଙ୍କକୁ କ୍ଷତିପୂରଣ ପ୍ୟାକେଜ୍ ଦେବା ନେଇ ପ୍ରୟାସ କରାଯିବ ବୋଲି ଆରବିଆଇ ଅଧିକାରୀମାନେ କହିଥିଲେ। ଏହାର ଅନୁରୂପରେ ୫ ଜଣ ମୃତ ଜମାକାରୀଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଲାଗି ପ୍ରତିନିଧିମଣ୍ଡଳ ଦାବି ଜଣାଇଥିଲେ।