ଧୋନୀଙ୍କୁ ଚିଠି ଲେଖିଲେ ମୋଦୀ: ଆପଣଙ୍କ ଉପଲବ୍ଧିକୁ ଭୁଲି ହେବନାହିିଁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଚିଠି ଲେଖି ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି। ଉକ୍ତ ଚିଠିରେ ଧୋନୀଙ୍କ ଜୀବନର ଅନେକ ଅଭୁଲା ସ୍ମୃତିକୁ ମୋଦୀ ମନେ ପକାଇଛନ୍ତି। ବିଶେଷରୂପେ ୨୦୦୭ ଓ ୨୦୧୧ ଟି-୨୦ ବିଶ୍ୱକପରେ ଧୋନୀଙ୍କ ଯୋଗଦାନକୁ ପ୍ରଶଂସା କରିଛନ୍ତି। କେବଳ ଏତିକି ନୁହେଁ, ଚିଠିରେ ଧୋନୀଙ୍କ ହେୟାରଷ୍ଟାଇଲ ସହ ଝିଅ ଜୀବାଙ୍କ ସହ ତାଙ୍କ ବଣ୍ଡିଂକୁ ମଧ୍ୟ ମୋଦୀ ଉଲ୍ଲେଖ କରିଛନ୍ତି।

ମୋଦୀ ଆହୁରି ଲେଖିଛନ୍ତି କି, ‘ଆପଣ ଭାରତୀୟ କ୍ରିକେଟର ସବୁଠୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଅନ୍ୟତମ। କ୍ରିକେଟ ଇତିହାସରେ ଆପଣଙ୍କ ନାମ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ଅଧିନାୟକ ଓ ୱିକେଟରକ୍ଷକ ଭାବରେ ରହିବ। କ୍ରିକେଟ ଦୁନିଆରେ ଆପଣ କରିଥିବା କାରନାମା ସବୁଦିନ ପାଇଁ ଲୋକଙ୍କ ମନରେ ରହିବ। ଧୋନୀଙ୍କୁ କେବଳ ଜଣେ କ୍ରିକେଟର ଭାବେ ମନେ ରଖିବା ଆପଣଙ୍କ ପ୍ରତିଭା ପାଇଁ ଉପଯୁକ୍ତ ନୁହେଁ, ଆପଣ ଗୋଟିଏ ଯୁଗ ଥିଲେ।’

ଧୋନୀ ଉକ୍ତ ଚିଠିକୁ ଟ୍ୱିଟରରେ ସେୟାର କରି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଧୋନୀ କହିଛନ୍ତି ଯେ, ‘ପ୍ରତ୍ୟେକ କଳାକାର, ସୈନିକ ଓ ଖେଳାଳୀ ସର୍ବଦା ପ୍ରଶଂସା ପାଇବାକୁ ଇଚ୍ଛା କରିଥାଏ। ସେ ଚାହିଁଥାଏ କି ତା’ ପରିଶ୍ରମ ଓ ବଳିଦାନ ସମ୍ପର୍କରେ ସମସ୍ତେ ଜାଣନ୍ତୁ। ଆପଣଙ୍କ ପାଖରୁ ମିଳିଥିବା ପ୍ରଶଂସା ଓ ଶୁଭକାମନା ପାଇଁ ଧନ୍ୟବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।’