୧୮ରୁ ଦିନିକିଆ ସିରିଜ୍‌, ଟିମ୍ ଇଣ୍ଡିଆର ଜିମ୍ବାୱେ ଯାତ୍ରା

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ୧୮ ତାରିଖଠାରୁ ଜିମ୍ବାୱେର ହରାରେ ସ୍ପୋର୍ଟ୍ସ କ୍ଲବ୍‌ଠାରେ ଘରୋଇ ଦଳ ବିପକ୍ଷରେ ଟିମ୍ ଇଣ୍ଡିଆ ଏକ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ । ଏହି ସିରିଜ୍‌ରେ ବିସିସିଆଇ ଚୟନ କମିଟି ଓପନର ଶିଖର ଧୱନ୍‌ଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରିଥିଲା । କିନ୍ତୁ ଗତ ୮ ତାରିଖରେ ଅନ୍ୟତମ ଓପନର ତଥା ଆଘାତ କାରଣରୁ ଗତ ଫେବୃଆରୀ ପରଠାରୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନ ଥିବା ଲୋକେଶ ରାହୁଲ୍ ସୁସ୍ଥତା ଲାଭ କରିବା ପରେ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ତାଙ୍କ ନେତୃତ୍ୱରେ ଶନିବାର ଟିମ୍ ଇଣ୍ଡିଆର ସଦସ୍ୟମାନେ ଜିମ୍ବାୱେ ଅଭିମୁଖେ ଯାତ୍ରା କରିଛନ୍ତି । ଏନେଇ ବିସିସିଆଇ ପକ୍ଷରୁ ସୋସିଆଲ୍ ମିଡିଆରେ ଫଟୋ ଶେୟାର୍ କରାଯାଇଛି ।

ଟ୍ୱିଟର୍ ପୃଷ୍ଠାରେ ମୋଟ ୫ଟି ଫଟୋ ସ୍ଥାନିତ ହୋଇଥିବା ବେଳେ ଗୋଟିଏରେ ଉପଅଧିନାୟକ ଦାୟିତ୍ୱ ତୁଲାଇବାକୁ ଥିବା ଧୱନ୍‌ଙ୍କ ସହ ଦୁଇ ପେସର୍ ପ୍ରସିଦ୍ଧ କ୍ରିଷ୍ଣା ଓ ଦୀପକ ଚହର୍ ରହିଛନ୍ତି । ସେହିପରି ଅନ୍ୟ ଏକ ଫଟୋରେ ମୁଖ୍ୟ କୋଚ୍ ଦାୟିତ୍ୱ ତୁଲାଇବାକୁ ଥିବା ପୂର୍ବତନ ଟେଷ୍ଟ୍ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ଓ ଆଉ ଏକ ଫଟୋରେ ଅଲ୍‌ରାଉଣ୍ଡର୍ ଶାର୍ଦ୍ଦୁଲ୍ ଠାକୁର ରହିଛନ୍ତି । ଏହାଛଡ଼ା ମହମ୍ମଦ ସିରାଜ୍ ଏବଂ ଋତୁରାଜ ଗାଏକ୍ୱାଡ୍ ଓ ରାହୁଲ୍ ତ୍ରିପାଠୀଙ୍କୁ ଅନ୍ୟ ଦୁଇଟି ଫଟୋରେ ଦେଖିବାକୁ ମିଳିଛି ।

ଆଗାମୀ ଦିନିକିଆ ସିରିଜ୍‌ଟି ଆଇସିସି ୱାର୍ଲ୍ଡ କପ୍ ସୁପର୍ ଲିଗ୍ ଅନ୍ତର୍ଭୁକ୍ତ ହୋଇଥିବାରୁ ଏହାର ଗୁରୁତ୍ୱ ଘରୋଇ ଜିମ୍ବାୱେ ଦଳ ପାଇଁ ଯଥେଷ୍ଟ ଅଧିକ ରହିଛି । ଉକ୍ତ ସିରିଜ୍‌ରେ ଭଲ ପ୍ରଦର୍ଶନ ପୂର୍ବକ ଜିମ୍ବାୱେ ଲିଗ୍‌ର ପଏଣ୍ଟ୍ ଟେବଲ୍‌ରେ ଶୀର୍ଷ ୮ରେ ରହିବାକୁ ଉଦ୍ୟମ କରିବ । କାରଣ ଆସନ୍ତା ୨୦୨୩ରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ରେ ଶୀର୍ଷ ୮ଟି ଦଳକୁ ସିଧାସଳଖ ଯୋଗ୍ୟତା ମିଳିପାରିବ । ଅନ୍ୟପକ୍ଷରେ ଆୟୋଜକ ଭାବେ ଭାରତ ଏହି ବିଶ୍ୱକପ୍ ସଂସ୍କରଣ ସକାଶେ ଯୋଗ୍ୟତା ହାସଲ କରିସାରିଛି ।

ସୂଚନାଯୋଗ୍ୟ ଯେ ରାହୁଲ୍ ଗତ ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣରେ ଅନ୍ୟତମ ନୂଆ ଫ୍ରାଞ୍ଚାଇଜି ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ଏହାପରେ ସେ ସାଉଥ୍ ଆଫ୍ରିକା ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଅଧିନାୟକ ଦାୟିତ୍ୱ ପାଇବାର ଥିଲା । କିନ୍ତୁ ସିରିଜ୍‌ର ଅବ୍ୟବହିତ ପୂର୍ବରୁ ଗ୍ରୋଇନ୍ ଇନ୍‌ଜୁରୀ କାରଣରୁ ତାଙ୍କୁ ଦଳ ବାହାରେ ରହିବାକୁ ପଡ଼ିଥିଲା । ଏପରିକି ପରେ ତାଙ୍କୁ ଉକ୍ତ ସମସ୍ୟାରୁ ମୁକ୍ତି ପାଇବା ସକାଶେ ସର୍ଜରୀର ମଧ୍ୟ ସହାୟତା ନେବାକୁ ପଡ଼ିଥିଲା । ଏହି କାରଣରୁ ଏହି ୩୦ ବର୍ଷୀୟ ଓପନର୍ ଜଣକ ଗତ ଇଂଲଣ୍ଡ ଓ ଆୟର୍ଲାଣ୍ଡ୍ ବିପକ୍ଷ ସିରିଜ୍‌ରୁ ମଧ୍ୟ ବାଦ୍ ପଡ଼ିଥିଲେ ।

ଏହାପରେ ଭାରତର ୱେଷ୍ଟ୍‌ଇଣ୍ଡିଜ୍ ଗସ୍ତରେ ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଥିଲା । କିନ୍ତୁ ଅଚାନକ କୋଭିଡ୍ ସଂକ୍ରମିତ ହେବା ଫଳରେ ରାହୁଲଙ୍କୁ ଉଭୟ ଦିନିକିଆ ଓ ଟି-୨୦ ସିରିଜ୍‌ରୁ ବାଦ୍ ଦିଆଯାଇଥିଲା । ତେବେ ନିକଟରେ ତାଙ୍କୁ ଆସନ୍ତା ୨୭ରୁ ୟୁଏଇଠାରେ ଆରମ୍ଭ ହେବାକୁ ଥିବା ଏସିଆ କପ୍ ପାଇଁ ଘୋଷିତ ଦଳରେ ଚୟନ କମିଟି ସଦସ୍ୟମାନେ ସ୍ଥାନ ଦେଇଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟ୍‌ରେ ଅଗଷ୍ଟ ୨୮ ତାରିଖରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।