୧୦୮ ଫୁଟର ହନୁମାନ ମୂର୍ତ୍ତି ଲୋକାର୍ପଣ କଲେ ମୋଦୀ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଆଜି ବେଶ୍ ଧୁମଧାମରେ ହନୁମାନ ଜୟନ୍ତୀ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୋରବୀରେ ହନୁମାନଙ୍କ ୧୦୮ ଫୁଟର ମୂର୍ତ୍ତି ଲୋକାର୍ପଣ କରିଛନ୍ତି । ମୋଦୀ ଭର୍ଚ୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଓ ଅନ୍ୟ ନେତାମାନେ କାର୍ଯ୍ୟକ୍ରମ ସ୍ଥଳୀରେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୋଦୀ ସମସ୍ତଙ୍କୁ ହନୁମାନ ଜୟନ୍ତୀର ଶୁଭକାମନା ଜଣାଇବା ସହ ପବନପୁତ୍ରଙ୍କ କୃପା ସମସ୍ତଙ୍କ ଉପରେ ରହୁ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ମୁତାବକ, ଏହି ମୂର୍ତ୍ତିଟି ହନୁମାନଙ୍କ ୪ ଧାମ ପରିଯୋଜନା ଅନ୍ତର୍ଗତ ସମଗ୍ର ଦେଶର ୪ ଦିଗରେ ସ୍ଥାପିତ କରାଯାଉଛି । ୪ ପ୍ରତିମା ମଧ୍ୟରୁ ମୋରବୀ ହେଉଛି ଦ୍ୱିତୀୟ ଯାହାକୁ ଦେଶର ପଶ୍ଚିମ ଦିଗରେ ସ୍ଥାପିତ କରାଯାଇଛି । ୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ମୂର୍ତ୍ତି ନିର୍ମାଣ କାର୍ଯ୍ୟ ୨୦୧୮ରେ ଆରମ୍ଭ ହୋଇଥିଲା । ଏହି ପରିଯୋଜନାର ପ୍ରଥମ ମୂର୍ତ୍ତି ୨୦୧୦ରେ ସିମଲାରେ ସ୍ଥାପିତ କରାଯାଇଥିଲା ।