ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: ସୁବର୍ଣ୍ଣପୁର ଜିଲ୍ଲାରେ ରବି ଧାନ କ୍ରୟ ନିମନ୍ତେ ଜିଲ୍ଲାସ୍ତରୀୟ କ୍ରୟ କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅବେଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ଜିଲ୍ଲାରେ ମେ’ ୧୬ରୁ ରବି ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ଏଥିନିମନ୍ତେ ୫୮ଟି ପ୍ୟାକ୍ସ ଓ ୩୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମୁଦାୟ ୯୩ଟି ଧାନ କ୍ରୟ କେନ୍ଦ୍ର ଜରିଆରେ ଯୋଗାଣ ନିଗମ ଧାନ କ୍ରୟ କରିବ । ରବି ଧାନ କ୍ରୟ ପ୍ରକ୍ରିୟା ନିମନ୍ତେ ଟୋକନ ବ୍ୟବସ୍ଥା କରାଯିବ, ମାତ୍ର ଏକର ପ୍ରତି କେତେ ପରିମାଣରେ ଧାନ କିଣାଯିବ ସେଥିପାଇଁ ରାଜ୍ୟସ୍ତରୀୟ କ୍ରୟ କମିଟି ନିଷ୍ପତ୍ତି ଗ୍ରହଣ କଲା ପରେ ଜଣାପଡ଼ିବ । ଚଳିତ ବର୍ଷ ଧାନ କ୍ରୟ କେନ୍ଦ୍ରଗୁଡ଼ିକରେ ସପ୍ତାହର ପ୍ରତିଦିନ ସକାଳ ୭ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଧାନ କ୍ରୟ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଚଳିତ ବର୍ଷ ରବି ଧାନ ବିକ୍ରୟ କରିବା ପାଇଁ ଜିଲ୍ଲାର ୩୨,୯୪୬ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ଗତ ରବିରେ ୩୦,୦୨୨ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସେହିପରି ଗ୍ରୀଷ୍ମ ପ୍ରବାହ ଓ ପ୍ରାକ ମୌସୁମୀକୁ ଦୃଷ୍ଟିରେ ରଖି ସମସ୍ତ ଧାନ କ୍ରୟ କେନ୍ଦ୍ରଗୁଡ଼ିକରେ କୌଣସି ପ୍ରକାର ଅସୁବିଧାକୁ ସମ୍ମୁଖୀନ ଓ ପ୍ରତିହତ କରିବା ନିମନ୍ତେ ପାନୀୟ ଜଳ, ବିଜୁଳି, ଟ୍ରପୋଲିନ ଓ ଚାଷୀଙ୍କ ପାଇଁ ଆଶ୍ରୟସ୍ଥଳ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି । ଏହାସହ ଚାଷୀ ଯେପରି ରବି ଧାନ ବିକ୍ରୟକୁ ସହଜ, ସୁବିଧା ଓ ସ୍ୱଛତାର ସହ କରିପାରିବେ ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ଜିଲ୍ଲପାଳ ତଥା ଅଧ୍ୟକ୍ଷା ବିଭାଗୀୟ ସମ୍ପୃକ୍ତ ଅଧିକାରୀଙ୍କୁ ନିଜ ନିଜ ବିଭାଗ ମଧ୍ୟରେ ଉତ୍ତମ ତଥା ଉପଯୁକ୍ତ ଯୋଗାଯୋଗ ପୂର୍ବକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଗତ ବର୍ଷ ଧାନ କ୍ରୟ ସମୟରେ ଓ ପରେ ଉପୁଜିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ, ଚଳିତ ବର୍ଷ ତ୍ରୁଟିର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱଦେବା ସହ ଚଳିତ ବର୍ଷ ରବି ଧାନ କ୍ରୟକୁ ସୁବ୍ୟବସ୍ଥିତ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀମତୀ ନରୱଣେ ବୈଠକରେ ସୂଚନା ଦେଇଛନ୍ତି । ଏହି ଗୁରୁତ୍ୱପୂର୍ଣ ଜିଲ୍ଲାସ୍ତରୀୟ କ୍ରୟ କମିଟି ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ ଜିଲ୍ଲାରେ ଚାଷ ଓ ଚାଷୀର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହ ରବି ଧାନ କ୍ରୟ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଓ ସୁଚାରୁରୂପେ ପରିଚାଳନା କରିବା ଉପରେ ପ୍ରଶାସନ ତଥା ସମ୍ପୃକ୍ତ ବିଭାଗକୁ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲପାଳ ସୂର୍ଯ୍ୟ ନାରାୟଣ ଦାଶ, ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ଡୋଳାମଣି ପଟେଲ, ସୋନପୁର ଉପଜିଲ୍ଲାପାଳ ନିହାର ରଞ୍ଜନ କଁହର ଓ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।