ଅଷ୍ଟ୍ରେଲିଆରେ ମନ୍ଦିର ଉପରେ ଆକ୍ରମଣ ପ୍ରସଙ୍ଗ ଉଠାଇଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥୋନୀ ଅଲବନୀଜଙ୍କ ସହ ନିକଟରେ ଅଷ୍ଟ୍ରେଲିଆରେ ହୋଇଥିବା ମନ୍ଦିର ଆକ୍ରମଣ ସମ୍ପର୍କରେ ଆଲୋଚନା କରିଛନ୍ତି । ଏନ୍ଥୋନୀଙ୍କ ସହ ଆଲୋଚନା ପରେ ମୋଦୀ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ, ଅଷ୍ଟ୍ରେଲିଆରେ ମନ୍ଦିର ଉପରେ ହେଉଥିବା ଆକ୍ରମଣକୁ ନେଇ ଲଗାତାର ଭାବେ ଖବର ଆସୁଛି । ଏହି ଖବର ସମସ୍ତ ଭାରତୀୟଙ୍କୁ ଚିନ୍ତିତ କରିବା ସହ ଆମ ମନକୁ ବ୍ୟଥିତ କରିଛି । ଭାରତୀୟ ସମୁଦାୟର ସୁରକ୍ଷା ତାଙ୍କର ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ ଏନ୍ଥୋନୀ ମୋତେ ଆଶ୍ୱସ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଉଭୟ ଦେଶର ଟିମ୍ ନିୟମିତ ଭାବେ ସମ୍ପର୍କରେ ରହିବେ ଏବଂ ଯଥାସମ୍ଭବ ସହଯୋଗ କରିବେ । ଉଭୟ ଦେଶ ଏକ ବ୍ୟାପକ ଆର୍ଥିକ ଚୁକ୍ତି ଉପରେ କାମ କରୁଛି । ପ୍ରତିରକ୍ଷା କ୍ଷେତ୍ରରେ ଆମେ ଗତ କିଛି ବର୍ଷ ହେବ ଉଲ୍ଲେଖନୀୟ ଚୁକ୍ତି କରିଛୁ ଯେଉଁଥିରେ ଉଭୟ ଦେଶର ସୈନିକଙ୍କ ପାଇଁ ଅସ୍ତ୍ରଶସ୍ତ୍ର ସମ୍ବନ୍ଧୀୟ ସହଯୋଗ ସାମିଲ ରହିଛି ।