ବରଗଡ଼,ଏନ୍ଏନ୍ଏସ୍: ଗତକାଲି ସନ୍ଧ୍ୟାରେ ବରଗଡ଼ ସହର ନିଶାମଣି ପଡ଼ିଆ ନିକଟରେ ଜଣେ ଯୁବକଙ୍କୁ କିଛି ବ୍ୟକ୍ତି ମାରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ଗୁରୁତର ଆହତ ହୋଇଥିବା ଯୁବକ ଜଗନ୍ନାଥ କର୍ଣ୍ଣ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଏନେଇ ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଘଟଣା ଉପରେ ତଦନ୍ତ କରିବା ସହିତ ସଂପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବରଗଡ଼ ଏସପି ପ୍ରହ୍ଲାଦ ସାହାଇ ମିନା ସୂଚନା ଦେଇଛନ୍ତି ।
ମିଳିଥିବା ରିପୋର୍ଟ ମୁତାବକ, ଆହତ ଜଗନ୍ନାଥ କର୍ଣ୍ଣ ତାଙ୍କ ଜଣେ ସାଙ୍ଗ ଲକ୍ଷ୍ମଣ ସାହୁଙ୍କ ସହ ଏକ ଠେଲା ଦୋକାନ କୁ ଆସିଥିଲେ। ସଠାକୁ ଅତର୍କିତ ଭାବେ ୨୦ରୁ ଅଧିକ ଯୁବକ ହାତରେ ଭୁଜାଲି ଓ ଖଣ୍ଡା ପ୍ରଭୃତି ମାରଣାସ୍ତ୍ର ଧରି ଜଗନ୍ନାଥଙ୍କୁ ଆକ୍ରମଣ କରିଥିଲେ। ଏଥିସହିତ ୨ରାଉଣ୍ଡ ଗୁଳି ମଧ୍ୟ ଚଲାଇଥିଲେ । ଏନେଇ ୮ ଜଣଙ୍କ ନାମରେ ଅଭିଯୋଗ ହୋଇଥିବାବେଳେ ୨ଜଣଙ୍କୁ ଗିରଫ କରାଯାଇଥିବା ନେଇ ଏସପି ସୂଚନା ଦେଇଛନ୍ତି ।