ଦେବଗଡ଼, : ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଢଳ ବାଲିପସି ଗ୍ରାମରେ ଜଣେ ମଦ୍ୟପ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର ହୋଇ ଥାନାରେ ଦ୍ୱାରସ୍ତ ହୋଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ବାଲିପସି ଗ୍ରାମର ବେଣୁ ବୁଡ଼ା (୭୦)ଙ୍କ ସ୍ତ୍ରୀ ଖତି ବୁଡ଼ା (୬୫)ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରୁ ଋଣ କରିଥିଲେ। ସେହିପରି ତାଙ୍କୁ ମିଳୁଥିବା ଭତ୍ତା ଟଙ୍କାକୁ ସେ ଜମା କରି ଋଣ ପରିଶୋଧ ପାଇଁ ନିଜ ପାଖରେ ରଖିଥିଲେ । ତେବେ ଗତକାଲି ପୂର୍ବାହ୍ନରେ ଖତି ଖାଇବା ସାରି ତାଙ୍କ ଜମା କରିଥିବା ପାଞ୍ଚ ହଜାର ଟଙ୍କାକୁ ବ୍ୟାଙ୍କରେ ସଂଚୟ ପାଇଁ ନେବାକୁ ବାହାରିଲା ବେଳେ ତାଙ୍କ ଟଙ୍କା ନ ଥିବା ସେ ଦେଖିବାକୁ ପାଇଥିଲେ ।
ଏ ସମ୍ପର୍କରେ ସ୍ୱାମୀ ବେଣୁଙ୍କୁ ପଚାରିବାରୁ ସେ ଟଙ୍କା ଖର୍ଚ୍ଚ କରିଥିବା କହିବାରୁ ଖତି ତାଙ୍କ ଟଙ୍କା ମାଗିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ସ୍ୱାମୀ ବେଣୁ ଉତକ୍ଷିପ୍ତ ହୋଇ ଏକ ଟାଙ୍ଗିଆ ସାହାଯ୍ୟରେ ସ୍ତ୍ରୀ ଖତିଙ୍କ ଉପରେ ଆକ୍ରମଣ କରିଥିଲେ। ରକ୍ତାକ୍ତ ଅବସ୍ଥାରେ ଖତି ଗୁରୁତର ହୋଇ କୌଣସି ପ୍ରକାରେ ନିଜେ ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଚିକିତ୍ସିତ ହେବାପରେ ଆଜି ଏନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।