ପିଏମ୍ ବିଶ୍ୱକର୍ମା ଯୋଜନା ପ୍ରଚଳନ ପାଇଁ ଲୋକ ପ୍ରତିନିଧିଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ସଭାକକ୍ଷରେ ପିଏମ ବିଶ୍ୱକର୍ମା ଯୋଜନା ପ୍ରଚଳନ ନିମନ୍ତେ ପଞ୍ଚାୟତ ଲୋକ ପ୍ରତିନିଧିଙ୍କୁ ନେଇ ଜିଲ୍ଲା ଶିଳ୍ପକେନ୍ଦ୍ର ରାୟଗଡ଼ା ଦ୍ୱାରା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଳ୍ପକେନ୍ଦ୍ରର ଜେନେରାଲ ମ୍ୟାନେଜର ବିଜୟ କୁମାର ସାହୁଙ୍କ ସଭାପତିତ୍ୱ ଏବଂ ଡିଆଇପିଏ ସୁନିଲ ପ୍ରଧାନ ଓ ଆଇପିଓ ସୁବ୍ରତ ପଟ୍ଟନାୟକଙ୍କ ମିଳିତ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ସ୍ଥାନୀୟ ବିଡିଓ ପ୍ରିତମ କୁମାର ତନ୍ତୀ ଯୋଗଦେଇ ଗ୍ରାମୀଣ ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧି ଲକ୍ଷ୍ୟରେ କୌଳିକ ଶିଳ୍ପର ପୁନରୁଦ୍ଧାର ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ଜିଲ୍ଲା ଶିଳ୍ପ ଅଧିକାରୀ ଶ୍ରୀ ସାହୁ ଏହାର ସୁବିଧା ସୁଯୋଗ ନିଜ ଅଞ୍ଚଳର ଉଦ୍ୟୋଗୀଙ୍କ ନିମନ୍ତେ ନେବାକୁ ସମସ୍ତ ଲୋକ ପ୍ରତିନିଧିଙ୍କୁ ଆହ୍ୱାନ ଦେଇଥିଲେ । ଏହିକ୍ରମେ ସେ ୧୮ଟି କୌଳିକ ଶିଳ୍ପ ବଢ଼େଇ, କମାର, କୁମ୍ଭାର, ଡଙ୍ଗା ନିର୍ମାତା, ଅସ୍ତ୍ର-ହାତୁଡ଼ି ଉପକରଣ କାରିଗର, ତାଲା କାରିଗର, ବଣିଆ, ମୂର୍ତ୍ତୀ ନିର୍ମାତା, ପଥର କଟାଳି, ମୋଚି, ଜୋତା କାରିଗର, ଦରଜୀ, ଧୋବା, ମାଳି ଓ ଭଣ୍ଡାରୀ ଆଦି କାରିଗରଙ୍କୁ ହିତାଧିକାରୀ ଭାବେ ଚୟନ କରି ସେମାନଙ୍କୁ ଉତ୍ତମ ପ୍ରଶିକ୍ଷିତ କରି ଆତ୍ମନିର୍ଭରଶୀଳ କରିବାର ଯୋଜନା ଉପରେ ବିସ୍ତୃତ ଭାବେ ବୁଝାଇଥିଲେ । ପରେ ଡିଆଇପିଏ ଶ୍ରୀ ପ୍ରଧାନ କୌଳିକ ଉଦ୍ୟୋଗୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସ୍ୱୀକୃତି ପ୍ରଦାନ କରିବା ସହିତ ଜନସେବା କେନ୍ଦ୍ରରେ ସ୍ୱୟଂ ଅର୍ଜିତ ୟୁଜର ଆଇଡି ଓ ପାସୱାର୍ଡରେ ପଞ୍ଜୀକୃତ କରି ଜିଲ୍ଲାସ୍ତରୀୟ ତଦାରଖ କମିଟି ପର୍ଯ୍ୟନ୍ତ ସୁପାରିଶ କରିବାକୁ ପଞ୍ଚାୟତ ପ୍ରତିନିଧିଙ୍କୁ ଦାୟିତ୍ୱ ଦେଇଥିଲେ । ଜନସେବା କେନ୍ଦ୍ରରେ କାରିଗରମାନେ ଦରଖାସ୍ତ ପଞ୍ଜିକରଣ ନିମନ୍ତେ ସେମାନଙ୍କ ଆଧାର କାର୍ଡ, ବ୍ୟାଙ୍କ୍ ପାସବୁକ୍‌, ପାନ କାର୍ଡ ଓ ରାସନ୍ କାର୍ଡ ମୋବାଇଲ ନମ୍ୱର୍ ଦେବାକୁ ପଡ଼ିବ ବୋଲି ବ୍ଲକ୍ ଶିଳ୍ପ ଅଧିକାରୀ ସୁବ୍ରତ ପଟ୍ଟନାୟକ ଲୋକ ପ୍ରତିନିଧିଙ୍କୁ ସୂଚିତ କରାଇଥିଲେ । କାରିଗରଙ୍କୁ ଉତ୍ତମ ତାଲିମ ପ୍ରଦାନ ପରେ ସେମାନଙ୍କୁ ସ୍ୱାବଲମ୍ବୀ କରାଯିବାର ପ୍ରାବଧାନ କେନ୍ଦ୍ର ସରକାରଙ୍କ ତରଫରୁ ନିଆଯିବ । ଏହି କାର୍ଯ୍ୟକ୍ରମରେ ମୁନିଗୁଡ଼ା ବ୍ଲକର ସମସ୍ତ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟସଭ୍ୟା ଓ ଜନସେବା କେନ୍ଦ୍ରର ପରିଚାଳକମାନେ ଭାଗ ନେଇଥିଲେ ।