ମୁନିଗୁଡ଼ାରେ ୩୬ତମ ମହାଲକ୍ଷ୍ମୀ ପୂଜା

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ମୁନିଗୁଡ଼ାର ଗଣପର୍ବ ମହାଲକ୍ଷ୍ମୀ ପୂଜାରେ ମୁନିଗୁଡ଼ା ଉତ୍ସବମୁଖର ହୋଇଉଠିଛି । ନଭେମ୍ବର ୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ଶୁଭଖୁଣ୍ଟି ସ୍ଥାପନ ପରେ ବିଭିନ୍ନ ଆଧ୍ୟାତ୍ମିକ ଅଧ୍ୟାୟ ଆରମ୍ଭ ହୋଇଥିଲା । ଡିସେମ୍ବର ୧୪ରେ ବ୍ରାହ୍ମଣଙ୍କ ଦ୍ୱାରା ପବିତ୍ର ଶକଟା ନିର୍ଝରଣୀ ତଟରେ ଆରମ୍ଭ ହେବା ପରେ ସୂର୍ଯ୍ୟ ପୂଜା, ଗଙ୍ଗା ଆବାହନ, ଆଳତି, କଳସୀ ପୂଜା, ଅଭିମନ୍ତ୍ରୀତ ଜଳଗ୍ରହଣ, ପବିତ୍ର କଳସୀ ଯାତ୍ରା ଓ ବେଲ ବରଣି କାର୍ଯ୍ୟ ହୋଇଛି । ବିଜୁ ପଟ୍ଟନାୟକ ଯୁବ ସଂସଦ ଓ ମହାଲକ୍ଷ୍ମୀ ପୂଜା କମିଟିର ମିଳିତ ସହଯୋଗରେ ଆୟୋଜିତ ମୁନିଗୁଡ଼ାର ଏହି ପ୍ରସିଦ୍ଧ ମହାଲକ୍ଷ୍ମୀ ପୂଜା ୧୪ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପୂଜା କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ଗୌଡ଼ ଓ ଯୁବ ସଂସଦ ସଭାପତି ଚକ୍ରପାଣି ମାର୍ଥା ପ୍ରକାଶ କରିଛନ୍ତି । ଏହି ପ୍ରସିଦ୍ଧ ଯାତ୍ରା ଦେଖିବାକୁ ପଡ଼ୋଶୀ କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରୁ ପ୍ରବଳ ଭକ୍ତ ସମାଗମ ହୋଇଥାନ୍ତି । ଚଳିତ ବର୍ଷ ମନୋରଞ୍ଜନ କାର୍ଯ୍ୟକ୍ରମ ଦୃଷ୍ଟିରୁ ଓଡ଼ିଶା ଅପେରା ସହିତ ମୀନା ବଜାର, ରାମଦୋଳି, ଡିସ୍କୋ, ଟରା ଟରା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅସୁମାରୀ ଖାଦ୍ୟ ସହ ଦୋକାନ ବଜାରର ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ଭକ୍ତଙ୍କ ପାଇଁ ମାଁଙ୍କ ଅନ୍ନଭୋଗ ବ୍ୟବସ୍ଥା ଥିବାବେଳେ ଆଳତି ସମୟରେ ମହିଳାଙ୍କ ପ୍ରବଳ ଭିଡ଼ ଅନୁଭୁତ ହେଉଛି । ଶାନ୍ତି ଶୃଙ୍ଖଳା ପାଇଁ ମୁନିଗୁଡ଼ା ପୁଲିସ ବ୍ୟାପକ ବ୍ୟବସ୍ଥା କରିଛି । କର୍ତ୍ତାଭାବେ ଅରକ୍ଷିତ ମାର୍ଥା ଓ ରବୀନ୍ଦ୍ର ପଣ୍ଡା ଦମ୍ପତି ଯଜ୍ଞର ପୁରଧା ଅଛନ୍ତି । ପୂଜା ପରିଚାଳନା କମିଟିରେ ଉଭୟ ସଂଗଠନର ସଭାପତି ଶ୍ରୀଯୁକ୍ତ ଗୌଡ଼ ଓ ଶ୍ରୀଯୁକ୍ତ ମାର୍ଥାଙ୍କ ବ୍ୟତୀତ ଉପସଭାପତି ସମ୍ଭାରୁ ମୂମୁରୁକା, ସମ୍ପାଦକ ରମାକାନ୍ତ ମାର୍ଥା, ଚନ୍ଦନ ସାହୁ, କୋଷାଧ୍ୟକ୍ଷ ଅଜିତ ନାୟକ, ଉପଦେଷ୍ଟା ଭରତ ବନ୍ଧୁ ନାୟକ, ତିରୁପତି ନାୟକ, ନନ୍ଦକିଶୋର ପଟ୍ଟନାୟକ, ହରିଶ୍ଚନ୍ଦ୍ର ମାର୍ଥା ପରିଚାଳନାରେ ସହାୟତା କରୁଥିବାବେଳେ ପୁରୋହିତ ଜଗବନ୍ଧୁ ପଣ୍ଡା, ଶ୍ୟାସୁନ୍ଦର ଦାସ, ନିକୁଞ୍ଜ ଶତପଥୀ, ସଦାନନ୍ଦ ମହାପାତ୍ର, ଦୁର୍ଗା ପାଢ଼ୀ, ମଙ୍ଗଳା ସାବତ ଓ ସୁରେଶ ରଥ ପ୍ରମୁଖ ବୈଦିକ ବ୍ରାହ୍ମଣ ଯଜ୍ଞାଦୀ କାର୍ଯ୍ୟ କରୁଛନ୍ତି । ପ୍ରତିଦିନ ପୂଜା ମଣ୍ଡପକୁ ସ୍ଥାନୀୟ ବିଧାୟକ, ମନ୍ତ୍ରୀ, ସମସ୍ତ ଲୋକ ପ୍ରତିନିଧିମାନେ ଅତିଥି ଭାବେ ଆସି ବିଭିନ୍ନ କାର୍ଯ୍ୟକ୍ରମର ଉଦଘାଟନ କରୁଥିବାବେଳେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ।