ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ସଂଯୋଜକ କର୍ମଶାଳା

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ମୁନିଗୁଡ଼ା ମଣ୍ଡଳ ବିଜେପି ତରଫରୁ ସ୍ଥାନୀୟ ସୁଭଦ୍ରା -ଉଦ୍ଧବ ସଉଣ୍ଡିକ ମଙ୍ଗଳ ଭବନ ପରିସରରେ ସୁଶାସନ ଦିବସ ଓ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ସଂଯୋଜକ କର୍ମଶାଳା ପାଳନ କରାଯାଇଛି । ମଣ୍ଡଳ ସଭାପତି ଜଗା ଶବରଙ୍କ ସଭାପତିତ୍ୱ ଓ ଜିଲ୍ଲା ସମ୍ପାଦିକା ସୁଶୀଳା ସରାଫଙ୍କ ସଂଯୋଜନାରେ ଆୟୋଜିତ ସୁଶାସନ ଦିବସ ଓ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା କର୍ମଶାଳାରେ ମୁଖ୍ୟଅତିଥି ଭାବେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରା, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦଳାଇ, ଅନ୍ୟତମ ସମ୍ମାନୀୟ ବକ୍ତା ଜିଲ୍ଲା ସାଧାରଣ ସମ୍ପାଦକ ରାମକୃଷ୍ଣ ପଣ୍ଡା ଓ ଜନସେବା କେନ୍ଦ୍ର ପରିଚାଳକ ରଶ୍ମିରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ମା’ ଭାରତୀଙ୍କ ସୁଯୋଗ୍ୟ ସନ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ,ଦୀପଦାନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରେ ମୁଖ୍ୟବକ୍ତା ଶ୍ରୀ ଦଳାଇ ବାଜପେୟୀ ଜୀଙ୍କ କାଳଜୟୀ କୃତ୍ତି, ଦେଶପ୍ରେମ, ବୈଦେଶିକ ନୀତି, ପରାକ୍ରମ ଓ ତାଙ୍କ ଯୁଗାନ୍ତକାରୀ ଜନ କଲ୍ୟାଣକାରୀ ଯୋଜନାକୁ ବକ୍ତବ୍ୟରେ ରଖିଥିଲେ । ଏଥିସହିତ ମୁଖ୍ୟବକ୍ତା ଶ୍ରୀ ଦଳାଇ ବାଜପେୟୀଙ୍କ ଉପରେ ଦେଶପ୍ରେମ କବିତା “ତୁମ ଜୀବନଟା ଏକ ଯଜ୍ଞ ଆବୃତ୍ତି କରି ଶ୍ରୋତାଙ୍କୁ ଶୁଣାଇଥିଲେ । ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ବେହେରା ଓ ଜିଲ୍ଲା ସାଧାରଣ ସମ୍ପାଦକ ରାମକୃଷ୍ଣ ପଣ୍ଡା ବାଜପେୟୀଙ୍କ ସୁଶାସନ ଉପରେ ମନ୍ତବ୍ୟ ରଖିବା ସହିତ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଉପରେ କହିଥିଲେ ।୧୮ପ୍ରକାର କୌଳିକ ବୃତ୍ତିଧାରୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ଓ ସ୍ୱାବଲମ୍ବୀ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଏହା ଏକ ଅଭିନବ ପ୍ରୟାସ । ଏଥିରେ ଗ୍ରାମାଞ୍ଚଳର ଅନେକ ବୃତ୍ତିଧାରୀ ଅର୍ଥନୈତିକ ବିକାଶ ପଥରେ ଅଗ୍ରସର ହେବାସହ ଅନେକ ରୋଜଗାର ସୃଷ୍ଟି ହୋଇପାରିବ ବୋଲି ଜିଲ୍ଲା ସମ୍ପାଦିକା ଶ୍ରୀମତୀ ସରାଫ ଓ ମଣ୍ଡଳ ସଭାପତି ଶ୍ରୀ ଶବର ବୁଝାଇଥିଲେ । ସେହିପରି ଜନସେବା କେନ୍ଦ୍ର ପରିଚାଳକ ଶ୍ରୀ ସ୍ୱାଇଁ କିପରି ହିତାଧିକାରୀମାନେ ଏହି ଯୋଜନାରେ ସାମିଲ ହୋଇ ଉପକୃତ ହେବେ ତାହା ଲୋକଙ୍କୁ ବୁଝାଇଥିଲେ । ମୁନିଗୁଡ଼ାର ୧୭ଟି ପଞ୍ଚାୟତର ଶତାଧିକ କୌଳିକ ବୃତ୍ତିଧାରୀ ହିତାଧିକାରୀ ଯୋଗଦେଇ ସେମାନଙ୍କ ଲାଗି ଅଭିପ୍ରେତ ବିଶ୍ୱକର୍ମା ଯୋଜନା ଉପରେ ପଚାରି ବୁଝିବା ସହିତ ଏହି ଯୋଜନାରେ କିପରି ସଂଯୁକ୍ତ ହେବେ ସେନେଇ ଆଶାବାଦୀ ଥିବା ସେମାନଙ୍କ ଉତ୍ସାହରୁ ଜଣା ପଡୁଥିଲା । ଏହି କାର୍ଯ୍ୟକ୍ରମକୁ ବିଜେପି ବିସ୍ତାରକ ବ୍ରଦସ ପାତ୍ର, ମିନକିତନ ଗୌଡ଼, ପୁରନ୍ଦର କାଶୀ ଓ ଗରିବ ଗରଡ଼ିଆ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।