୨୬ରୁ ବୁଢ଼ାଡଙ୍ଗର ‘ଲୋକ ମହୋତ୍ସବ ୨୦୨୩’

କେସିଙ୍ଗା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା କେସିଙ୍ଗା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଚଳିତ ମାସ ୨୬ ଓ ୨୭ ତାରିଖରେ ୨୭ତମ ବୁଢ଼ା ଡଙ୍ଗର ଲୋକ ମହୋତ୍ସବ ୨୦୨୩ ଅନୁଷ୍ଠିତ ହେବ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ୨ ଦିନ ଧରି ସାଂସ୍କୃତିକ ଶୋଭାଯାତ୍ରା, କବିତା ପାଠୋତ୍ସବ, ଚିତ୍ରକଳା ପ୍ରଦର୍ଶନୀ, ରାଜ୍ୟ ଓ ଜାତୀୟ ଲୋକ ନୃତ୍ୟ ପରିବେଷଣ ସହିତ ସ୍ୱନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ୱାରା ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମ ରହିଛି । ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ୬ ଜଣ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ । କଳାହାଣ୍ଡି ବୀର ବାଦ୍ୟ ଘୁମୁରା ପାଇଁ ସୁରୁ ବାରିକ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଲଳିତ ପଟ୍ଟନାୟକ, ନାଟକ ପାଇଁ ପ୍ରଦୀପ ଧଙ୍ଗଡ଼ା ମାଝୀ, ସମାଜ ସେବା ପାଇଁ ଧର୍ମଗଡ଼ର ସମାଜସେବୀ ଶ୍ୟାମସୁନ୍ଦର ଜାଲ, ସଂଚାର ପାଇଁ ବରଗଡ଼ ଜିଲ୍ଲା ପଦମପୁରର ରବିରତନ ସାହୁ ଓ ସାହିତ୍ୟ ପାଇଁ ବିଶିଷ୍ଟ ସାହିତ୍ୟିକ ଡିଲେଶ୍ୱର ରଣାଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସମ୍ପାଦକ ଅକ୍ଷୟ ଦାସ ସୂଚନା ଦେଇଛନ୍ତି । ସାଂସ୍କୃତିକ କାର୍ଯ୍ୟକ୍ରମରେ ଆସାମର ବିହୁ ନୃତ୍ୟ, ନର୍ତ୍ତକୀ ଭୁବନେଶ୍ୱରର ଓଡ଼ିଶୀ, କଳାଜିବୀ ବରଗଡ଼ର ସମ୍ବଲପୁରୀ ନୃତ୍ୟ, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ବଜାଶାଲ, ଗଞ୍ଜାମର ପଶୁ ନୃତ୍ୟ ସମେତ ୧ମ ଦିନରେ ପଶ୍ଚିମ ଓଡ଼ିଶା ସୁପ୍ରସିଦ୍ଧ ସମ୍ବଲପୁରୀ କଣ୍ଠଶିଳ୍ପୀ ସର୍ବେଶ୍ୱର ଭୋଇ, ୨ୟ ଦିନରେ ସାନ୍ତୁନୁ ସାହୁ ଓ ଶୀତଲ ସାହୁଙ୍କ ଦ୍ୱାରା ସାଂସ୍କୃତିକ ସନ୍ଧ୍ୟାର କାର୍ଯ୍ୟକ୍ରମ ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡା. ହରେକୃଷ୍ଣ ଧଳ, ସୁରେଶ ମହାନନ୍ଦ, ରମେଶ ଜେନା ଓ ଅନୁଷ୍ଠାନର ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ଅମିୟ ନନ୍ଦ ଧନ୍ୟବାଦ ଦେଇଥିଲେ ।