ଓକିଲଙ୍କ ଦ୍ୱାରା ଜମି ହଡପ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ଆମରଣ ଅନଶନ

ଦେବଗଡ,ଏନ୍ଏନ୍ଏସ୍: ଦେବଗଡ ଥାନା ଅନ୍ତର୍ଗତ ବ୍ରଜମୋହନପୁର ଗ୍ରାମର ଜଣେ ଭୂମିହୀନ ହରିଜନ ମହିଳାଙ୍କ ସମେତ କେତେକ ବାସିନ୍ଦାଙ୍କ ଜମିକୁ ଜୈନକ ଓକିଲ ଚଞ୍ଚକତା କରି ନିଜ ପରିବାର ସଦସ୍ୟଙ୍କ ନାମରେ ପାଟ୍ଟା କରାଇ ନେଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆଜି ଉକ୍ତ ଗ୍ରାମର ବହୁ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନ୍ୟାୟ ପାଇଁ ଆମରଣ ଅନଶନରେ ବସିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ରେଙ୍ଗାଳୀ ନଦୀ ବନ୍ଧ ଯୋଜନାରେ ବିସ୍ଥାପିତ ହୋଇ ଉକ୍ତ ଗ୍ରାମର ମୁରଲୀ ଧର ଦେବଙ୍କ ଠାରୁ ୧୯୮୩ ମସିହାରୁ ସୁରେଶ ଚନ୍ଦ୍ର ଦ୍ୱିବେଦୀ, ପ୍ରହଲ୍ଲାଦ ଦାଶ, ପ୍ରଦୀପ କୁମାର ଦାଶ ଓ ଚିନ୍ମୟ ଭୂଷଣ ଦାଶ ପ୍ରମୁଖ ରଖିତ ଖାତା ୨୯ ପ୍ଲଟ ନଂ ୧୦୦ରୁ ଜମି କିଣି ଘର କରି ରହିଆସୁଛନ୍ତି। ମାତ୍ର ସେମାନେ ଗତ କିଛି ଦିନ ପୂର୍ବେ ଉକ୍ତ ପ୍ଲଟ ନଂ ୧୦୦ କୁ ଜାଲିଆତି ପୂର୍ବକ ଓକିଲ ସରୋଜ ପାତ୍ର ତାଙ୍କ ମାଁ ଅମୃତି ପାତ୍ରଙ୍କ ନାମରେ ତହସିଲରୁ କରାଇ ନେଇଥିବା ଜାଣିବାକୁ ପାଇଥିଲେ। ଗ୍ରାମବାସୀମାନେ ଶ୍ରୀ ଦେବଙ୍କ ଠାରୁ କିଣିଥିବା ଜାଗାକୁ ନିଜ ନାମରେ ଏଲଏକେସ କରିବା ପାଇଁ ବହୁବାର ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଜମିର କିସମ ଆମ୍ବ ବଗାୟତ ହୋଇଥିବା ଦର୍ଶାଇ ଏହି ଲିଜ କେସ କରିହେବ ନାହିଁ ବୋଲି ତହସିଲ କର୍ତ୍ତୃପକ୍ଷ ସେମାନଙ୍କୁ ଫେରାଇ ଦେଇଥିଲେ।

ଚଞ୍ଚକତା ପୂର୍ବକ ଉକ୍ତ ଜମିକୁ କିଛି ବର୍ଷ ପୂର୍ବେ ତହସିଲ କର୍ମଚାରୀ ଓ ତହସିଲଦାରଙ୍କୁ ହାତ କରି ଓକିଲ ଶ୍ରୀ ପାତ୍ର ନିଜ ମା’ଙ୍କ ନାମରେ କରାଇ ନେଇଥିବା ଅଭିଯୋଗ କରିଛନ୍ତି। ସେହିପରି ଉର୍ମିଳା ପାତ୍ର ନାମ୍ନି ଜଣେ ବିଧବା ହରିଜନ ମହିଳାଙ୍କୁ ଉକ୍ତ ଗ୍ରାମର ପରମା ଦେବ ଦାନ ଆକାରରେ ଦେଇଥିବା ଚାଷ ଜମିକୁ ଓକିଲ ଶ୍ରୀ ପାତ୍ର ଚଞ୍ଚକତା ପୂର୍ବକ ସ୍ତ୍ରୀ ସୁଜାତା ପ୍ରଧାନ ଯିଏକି ଜଣେ ନୋଟାରୀ ଭାବେ କାର୍ଯ୍ୟରତ ତାଙ୍କ ନାମରେ ପଟ୍ଟା କରାଇ ନେଇ ତାଙ୍କୁ ଉକ୍ତ ଜମିରୁ ବେଦଖଲ ପାଇଁ ନାନା ଧମକ ଦେଉଥିବା ଅଭିଯୋଗ କରିଛନ୍ତି।

ଆହୁରି ମଧ୍ୟ ସେମାନେ ଗ୍ରାମର ସରଳ ବ୍ୟକ୍ତି ହୋଇଥିବା କାରଣରୁ ଆଇନ ବିଷୟରେ ବିଶେଷ ଜ୍ଞାନ ନଥିବା କାରଣରୁ ଆଇନଜିବୀ ଶ୍ରୀ ପାତ୍ର ଆଇନ ଆଖିରେ ଧୂଳି ଦେଇ ଉକ୍ତ ଗ୍ରାମର ଜମିକୁ ନିଜ ପରିବାର ଲୋକଙ୍କ ନାମରେ କରୁଥିବା ଅଭିଯୋଗ କରିବା ସହ ଉପରୋକ୍ତ ଜମି ଜାଳିଆତି କରି ଦିଆଯାଇଥିବା ପଟ୍ଟା ଗୁଡିକୁ ଖାରଜ କରାଯାଇ ଭୂମିହୀନ ହରିଜନ ମହିଳାଙ୍କ ଜମିକୁ ତାଙ୍କ ନାମରେ କରାଯିବା, ଜମି ଜାଲିଆତିରେ ସମ୍ପୃକ୍ତ ଆରଆଇ ଓ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ବ୍ରଜମୋହନପୁର ଗ୍ରାମରେ ଥିବା ରେଙ୍ଗାଳୀ ବାସଚ୍ୟୁତ ପରିବାରଙ୍କୁ ଥଇଥାନ ଦାବିରେ ଆଜିଠାରୁ ଉକ୍ତ ଗ୍ରାମର ମହିଳା ମାନେ ଆମରଣ ଅନଶନରେ ବସିଥିବା ଜଣା ପଡିଛି। ଏଣୁ ଜିଲ୍ଲା ପ୍ରଶାସନ ଏ ଘଟଣାର ଏକ ସ୍ୱତନ୍ତ୍ର ଯାଞ୍ଚ କରି ଗ୍ରାମବାସୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ବୁଦ୍ଧିଜୀବୀଙ୍କ ମହଲରେ ଦାବି ହୋଇଛି।