ଆଜିଠୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ : ସରକାରୀ ବସ ଚଳାଚଳ ବନ୍ଦ

ମାଲକାନଗିରି,ଏନ୍ଏନ୍ଏସ୍: ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଆଜିଠୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ କରାଯାଉଛି। ସେଥିପାଇଁ ଜିଲ୍ଲାବ୍ୟାପୀ ସରକାରୀ ବସ ଚଳାଚଳ ବନ୍ଦ ରହିଛି। ପୂର୍ବରୁ ଜିଲ୍ଲାର ୧୩ଟି ରୁଟରେ ସରକାରୀ ବସ ଚଳାଚଳ କରୁଥିବାବେଳେ କରୋନା ଯୋଗୁ ବନ୍ଦ ରହିଥିଲା। ପରେ ଜିଲ୍ଲାର ୪ଟି ରୁଟକୁ ସରକାରୀ ବସ ଚଳାଚଳ ଅବ୍ୟାହତ ରହିଥିବାବେଳେ ପିଏଲଜିଏ ସପ୍ତାହକୁ ଦୃଷ୍ଟିରେ ରଖି ମାଲକାନଗିରିଠାରୁ ପଡ଼ିଆ, ଭଞ୍ଜନଗର, ବିଶାଖାପାଟଣା ଓ ଭୁବନେଶ୍ୱର ରୁଟକୁ ବସ ଚଳାଚଳ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହୋଇଛି। ଏଣୁ ଯାତ୍ରୀଙ୍କ ଭୀଡ଼ ମଧ୍ୟ ହ୍ରାସ ପାଇଛି। ପ୍ରତିବର୍ଷ ପିଏଲଜିଏ ସପ୍ତାହରେ ମାଓବାଦୀଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଉଥିବାବେଳେ ଗତକିଛି ବର୍ଷ ହେଲା ଗଡ଼ ଭାଙ୍ଗିବା ଫଳରେ ବନ୍ଦ ଡାକରା ଦିଆଯାଉନାହିଁ। କିନ୍ତୁ ପ୍ରତିବର୍ଷ ସରକାରୀ ବସ ଚଳାଚଳ ବନ୍ଦ ରହୁଛି। ଗତକିଛି ବର୍ଷ ଧରି ପୁଲିସ ଓ ବିଏସଏଫ ଯବାନଙ୍କ ରଣ କୌଶଳ ଓ କୁମ୍ବିଂ ଅପରେସନ ଯୋଗୁ ମାଓ ଗଡ଼ ଦୁର୍ବଳ ହେବାରେ ଲାଗିଛି। ବିଶେଷ କରି ଆଜିଠାରୁ ୮ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଥିବା ପିଏଲଜିଏ ସପ୍ତାହରେ ମାଓ ସଂଗଠନ ପିପୁଲ୍ସ ଲିବରେସନ୍ ଗୋରିଲା ଆର୍ମୀ ଛାମୁଆ ବାହିନୀ ପାଇଁ ଯୁବକଙ୍କୁ ସାମିଲ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଏହି ସପ୍ତାହରେ ମାଓ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ବୈଠକ କରି ଯୁବକଙ୍କୁ ସଂଗଠନରେ ସାମିଲ କରିବାକୁ ଚେଷ୍ଟା କରାଯାଇଥାଏ। ଏଥିରେ ମାଓ ସଂଗଠନକୁ ସୁଦୃଢ଼ କରିବା ପାଇଁ ସ୍ଥାନୀୟ ଆଦିବାସୀଙ୍କୁ ପିଏଲଜିଏ ଗରିଲା ଆର୍ମୀରେ ଯୋଗଦେଇ ବିପ୍ଳବ ଲଢ଼େଇରେ ଯୋଗ ଦେବାପାଇଁ ଆହ୍ୱାନ ଦିଆଯାଇ ଗରିଲା ଲଢ଼େଇ ପାଇଁ ସ୍ୱତନ୍ତ୍ର ତାଲିମ ମଧ୍ୟ ଦିଆଯାଏ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପୁଲିସ ପକ୍ଷରୁ ଏସଓଜି ଓ ଡିଭିଏଫ୍ ବାହିନୀ ପକ୍ଷରୁ ଜିଲ୍ଲାର ଦୁର୍ଗମ ଓ ଉପାନ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଜୋରଦାର କରାଯାଉଥିବା ଜଣାପଡ଼ିଛି।