୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ପୁଲିସ ଓ ଅବାକରୀ ବିଭାଗ ଗଞ୍ଜେଇ  ଚୋରା ଚାଲାଣ ରୋକିବାକୁ ବ୍ୟାପକ ପଦକ୍ଷେପ ନେଉଥିବାବେଳେ ବିଭିନ୍ନ ସ୍ଥାନରେ  ଚଢ଼ଉ କରି ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ପରିପ୍ରେକ୍ଷୀରେ  ଚାଲାଣ ରୋକିବାକୁ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଏସପି ମୁକେଶ କୁମାର ଭାମୁ ଓ ଅବକାରୀ ଅଧୀକ୍ଷକ ଲକ୍ଷ୍ମୀଧର ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଓ ଅବକାରୀ ବିଭାଗ  ପାଡୁଆ ଥାନ ବାଣୁଆ ଗ୍ରାମରେ ଚଢ଼ଉ କରି ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରିଥିବା ଜଣାପଡ଼ିଛି। ବାଣୁଆ ଗ୍ରାମରେ ପୁଲିସ ଓ ଅବକାରୀ ବିଭାଗ ଚଢ଼ଉ କରି ୧୦୩ ଏକର ଜମିରେ ଚାଷ କରାଯାଇଥିବା ୧ଲକ୍ଷ ୨୩ ହଜାର ୬୦୦ ଗଞ୍ଜେଇ ଗଛ ପୋଡ଼ିଥିବା ଜଣାପଡ଼ିଛି। ପୋଡ଼ା ଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୧୨କୋଟି  ୩୬ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର, ନନ୍ଦପୁର ତହସିଲଦାର ନରସିଂହ ଗାଦବା, ଅବକାରୀ ନିରୀକ୍ଷକ ତେଜରାଜ ଯାନୀ, ବିମ୍ବାଧର ପଣ୍ଡା ଓ ଅନ୍ୟମାନେ ଗଞ୍ଜେଇ ଗଛରେ ନିଆଁ ଲଗାଇ ନଷ୍ଟ କରିଥିବା ଜଣାପଡ଼ିଛି।