ଭାରସାମ୍ୟ ହରାଇ ଓଲଟିଲା ପାଇପ୍ ବୋଝେଇ ଟ୍ରକ; ଦୁଇ ମୃତ

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଚାନ୍ଦାହାଣ୍ଡି ଘାଟିରେ ଏକ କଷ୍ଟେଡ୍ ଆଇରନ ପାଇପ୍ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଟ୍ରକର ଇଞ୍ଜିନ ଓ ଡାଲା ଅଲଗା ହେବା ସହ ଇଞ୍ଜିନ ଜଳିଯାଇଛି। ଘଟଣାସ୍ଥଳରେ ହିଁ ୨ଜଣଙ୍କ ମୃତ୍ୟୁ ଘଟିଛି। ଟ୍ରକଟି ପାଇପ୍ ନେଇ ଚାନ୍ଦାହାଣ୍ଡି ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ଟ୍ରକରେ କ୍ଷମତା ଠାରୁ ଅଧିକ ଓଜନର ଜିନିଷ ଥିବାରୁ ଏହା ଭାରସ୍ୟମ ହରାଇ ଓଲଟି ପଡିଥିବା ଅନୁମାନ କରାଯାଉଛି। ଅନ୍ୟପଟେ ଚାନ୍ଦାହାଣ୍ଡି ଘାଟିରେ ପୂର୍ବରୁ ଦୁର୍ଘଟଣା ଘଟି ଅନେକ ଧନ ଜୀବନର ହାନି ଘଟିଛି। ଘଟଣାସ୍ଥଳରେ ଝରିଗାଁ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି।

ଦୀର୍ଘ ୪ ଘଣ୍ଟାର ଉଦ୍ୟମ ପରେ ୨ ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ତେବେ ମିଳିଥିବା ମୃତ ଦେହ ଦୁଇଟି ଡ୍ରାଇଭର ଓ ହେଲ୍ପପରର ବୋଲି ଅନୁମାନ କରାଯାଉଥିବା ବେଳେ ସେମାନଙ୍କ ପରିଚୟ ମିଳିନାହିଁ। ଘଟଣା ସ୍ଥଳରେ ଝରିଗାଁ ଆଇଆଇସି ଓ ତହସିଲଦାର ଉପସ୍ଥିତ ରହିଛନ୍ତି।