ମାଲକାନଗିରି ଜିଲ୍ଲାରେ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ

ମାଲକାନଗିରି/କୋରୁକୋଣ୍ଡା,ଏନ୍ଏନ୍ଏସ୍: କିଛି ଦିନର ବ୍ୟବଧାନ ପରେ ଆଜି ମାଲକାନଗିରି ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟରେ ୧୦୮ଟି କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୨୧ଟି ମାଲକାନଗିରିରୁ ଅଛି।

ଆଜି ମାଲକାନଗିରି ଜିଲ୍ଲାରେ ଚିହ୍ନଟ ହୋଇଥିବା ସମସ୍ତ କରୋନା ଆକ୍ରାନ୍ତ ସଂଗରୋଧ କେନ୍ଦ୍ରର ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ୧୯ ଆକ୍ରାନ୍ତ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାରଲାକୋଟା ସଂଗରୋଧ କେନ୍ଦ୍ରର ହୋଇଥିବାବେଳେ ଆଉ ୨ ଆକ୍ରାନ୍ତ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡା ଏବଂ ପଦ୍ମଗିରି ସଂଗରୋଧ କେନ୍ଦ୍ରର ବୋଲି ସୂଚନା ମିଳିଛି। ତାରଲାକୋଟା ସଂଗରୋଧ କେନ୍ଦ୍ରର ସମସ୍ତ ୧୯ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ନାବାଳକ ଛତିଶଗଡ଼ ଫେରନ୍ତା, ୧୩ଜଣ ତାମିଲନାଡୁ ଫେରନ୍ତା, ୩ ଜଣ କର୍ଣ୍ଣାଟକ ଫେରନ୍ତା ଓ ୨ଜଣ ଆନ୍ଧ୍ରପ୍ରଦେଶ ଫେରନ୍ତା ବୋଲି ସରପଞ୍ଚ ସୋମନାଥ ବାରସେ ସୂଚନା ଦେଇଛନ୍ତି।

ସେହିପରି ଆଉ ୨ ଆକ୍ରାନ୍ତ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡା ଏବଂ ପଦ୍ମଗିରି ସଂଗରୋଧ କେନ୍ଦ୍ରର ତାମିଲନାଡୁ ଓ ଦିଲ୍ଲୀ ଫେରନ୍ତା ବୋଲି ସୂଚନା ମିଳିଛି। ଏନେଇ କୋରୁକୋଣ୍ଡା ବ୍ଲକର ତାରଲାକୋଟା ସଂଗରୋଧ କେନ୍ଦ୍ର ଓ ମାଲକାନଗିରି ବ୍ଲକର ଗୌଡ଼ଗୁଡା ଓ ପଦ୍ମଗିରି ସଂଗରୋଧ କେନ୍ଦ୍ରର ୧୦୦ ମିଟର ପରିସରକୁ ଜିଲ୍ଲା ପ୍ରଶାସନ ଦ୍ୱାରା ସିଲ କରାଯାଇଛି। ଏଥିସହ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି। ତନ୍ମଧ୍ୟରୁ ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଓ ୨୬ ଜଣ ଚିକିତ୍ସାଧୀନ ଥିବା ମାଲକାନଗିରି ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି।