ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଉଦୟପୁର ବିଟ୍ ଅଧୀନ ନିଶ୍ଚିନ୍ତପୁର ନିକଟରୁ ପିଆଶାଳ ପଟା ବୋଝେଇ ଏକ ପିକଅପ୍ ଭ୍ୟାନ୍ ଜବତ ହୋଇଛି। ଜବତ ପଟାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ , ମୟୁରଭଞ୍ଜ ଜିଲ୍ଲା ଚଢେଇଭୋଳରୁ ଉକ୍ତ ପିକଅପ୍ ଭ୍ୟାନ୍ ଟି ସାହାରପଡା ଆଡ଼କୁ ଯାଉଥିବାବେଳେ କୌଣସି ସୂତ୍ରରୁ ସାହାରପଡା ବନପାଳ ଖବରପାଇ ଅନ୍ୟ କର୍ମଚାରୀଙ୍କ ସହିତ ନିଶ୍ଚିନ୍ତପୁର ନିକଟରେ ଛକି ରହିଥିଲେ। ଉକ୍ତ ଗାଡିରୁ ୪୦ ଖଣ୍ଡ ପିଆଶାଳ ପଟା ଜବତ ହୋଇଛି। ଏହି ଚଢ଼ଉରେ ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ, ସାହାରପଡା ବନପାଳ ସୁନୀତା ବାଘେଲ, ଉଦୟପୁର ଫରେଷ୍ଟ ଗାର୍ଡ କୁନ୍ତଳା ମହାନ୍ତ, ରାଇଡିହା ଫରେଷ୍ଟଗାର୍ଡ ନିରୂପମା ମହାକୁଡ଼ଙ୍କ ସମେତ ପାରା ଷ୍ଟାଫ ସାମିଲ ଥିଲେ।