ଭୋଜି ସାରି ଫେରିବା ବାଟରେ ଓଲଟିଲା ପିକଅପ ଭ୍ୟାନ, ୨୫ ଆହତ

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ଝରିଗାଁ ରାସ୍ତାର ନୂଆଗୁଡା ଠାରେ ଏକ ପିକଅପ ଭ୍ୟାନ ଓଲଟି ୨୫ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପାଞ୍ଚ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଡ୍ରାଇଭର ଭାରସାମ୍ୟ ହରାଇବାରୁ ଗାଡିଟି ଓଲଟି ପଡ଼ିଥିବା ପ୍ରାଥମିକ ସୂତ୍ରରୁ ଜଣାପଡିଛି। ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳର ବଡ଼କଲାର ପଞ୍ଚାୟତ ଗୁଟୁରନାଗଫଣୀ ଅଞ୍ଚଳରୁ ଝରିଗାଁ ବ୍ଲକ୍ କାଦମାଳିର ଏକ ଭୋଜିକୁ ପିକଅପ ଭ୍ୟାନରେ ୨୫ ଜଣ ଲୋକ ଯାଇଥିଲେ। ଫେରୁଥିବା ସମୟରେ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଗାଡ଼ିରେ ପାଖାପାଖି ୫ ଜଣ ପୁରୁଷ ସହ ୨୦ ଜଣ ମହିଳା ଥିଲେ।