ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୦ ପାର୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି କରୋନା ଭୂତାଣୁ କାୟା ବିସ୍ତାର କରୁଛି। ଗତ ୫ ମାସ ପରେ ଆଜି ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୪ଟି ଜିଲ୍ଲାରୁ ୨୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୨୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଓ ୮୮ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଏହି ସଂକ୍ରମଣ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୨୭ ଜଣ, କଟକ ଓ ବଲାଙ୍ଗିରରୁ ୨୦ ଜଣ ଲେଖାଏଁ, ବରଗଡ଼ରୁ ୧୩ ଜଣ, ବାଲେଶ୍ୱରରୁ ୧୧ ଜଣ, ଢ଼େଙ୍କାନାଳ ଓ ସମ୍ବଲପୁରରୁ ୧୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହି ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୩୯ ହାଜର ୪୬୦ରେ ପହଞ୍ଚିଛି। ସେହିପରି ୩ ଲକ୍ଷ ୩୬ ହଜାର ୩୩୭ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧୫୧ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ତରଫରୁ ସୂଚନା ଦିଆଯାଇଛି।