ମରୁଆଁ ଛକରେ ପିକଅପ ଭ୍ୟାନ ଓ ବାଇକ ମୁହାଁମୁହିଁ ଧକ୍କା, ୨ ମୃତ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ମରୁଆଁ ଛକ ନିକଟରେ ଏକ ପିକଅପ ଭ୍ୟାନ ଧକ୍କାରେ ୨ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକଦ୍ୱୟ ହେଲେ ସୁରେନ୍ଦ୍ର ବିରହା ଓ ଜିବର୍ଦ୍ଧନ ବରିହା । ମିଳିଥିବା ରିପୋର୍ଟ ମୁତାବକ, ଦାବକାନି ଗ୍ରାମର ସୁରେନ୍ଦ୍ର ଓ ଜିବର୍ଦ୍ଧନ ପଦ୍ମପୁରରୁୁ ବାଇକ ଯୋଗେ ପାଟଣାଗଡ଼ ଆସୁଥିବାବେଳେ ପାଟଣାଗଡ଼ ପଟୁ ଏକ ପିକଅପ ଭ୍ୟାନ ମରୁଆ ଛକରେ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ପାଟଣାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରେ ସହସ୍ରାଧିକ ଲୋକଙ୍କ ଭିଡ଼ ଜମିଥିବା ବେଳେ ଶବଟିକୁ କେହି ଛୁଇଁ ନଥିଲେ । ପରେ ପାଟଣାଗଡ଼ ଥାନାଧିକାରୀ ଅନନ୍ତ କୁମାର ପ୍ରଧାନ ପହଞ୍ଚି ଶବକୁ ଆମ୍ବୁଲାନ୍ସରେ ପାଟଣାଗଡ଼ ଡାକ୍ତରଖାନାକୁ ପଠାଇଥିଲେ । ଦୁର୍ଘଟଣା ଘଟାଇଥିବା ପିକଅପ ଭ୍ୟାନକୁ ଗୌଡ଼ପାଲି ଚେକ ଗେଟରୁ ପୁଲିସ ଉଦ୍ଧାର କରି ପାଟଣାଗଡ଼ ଥାନାକୁ ଆଣି ଡ୍ରାଇଭରକୁ ଅଧିକ ପଚରାଉଚୁରା ଜାରି ରଖିଛି । ପାଟଣାଗଡ଼ ପୁଲିସ ଏକ ଦୁର୍ଘଟଣାଜନତି ମାମଲା ରୁଜୁ କରି ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।