୫ଜି ଯୁଗରେ ଭାରତର ଏଣ୍ଟ୍ରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ୫ଜି ସେବାର ଲଞ୍ଚ କରିଛନ୍ତି । ଏହି ସମୟରେ ମୋଦୀଙ୍କ ସହ କେନ୍ଦ୍ର ଦୂରସଞ୍ଚାର ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବ୍ୟବସାୟୀ ମୁକେଶ ଅମ୍ବାନୀ ଓ ତାଙ୍କ ପୁଅ ଆକାଶ ଅମ୍ବାନୀ ମଧ୍ୟ ଉପସ୍ଥିତ ଥିଲେ । ମୋଦୀ ଦିଲ୍ଲୀର ପ୍ରଗତି ମଇଦାନରେ ଷଷ୍ଠ ଇଣ୍ଡିଆ ମୋବାଇଲ କଂଗ୍ରେସର ଉଦଘାଟନ କରିବା ସହ ୫ଜି ସେବାର ଶୁଭାରମ୍ଭ କରିଛନ୍ତି । ସେଠାରେ ମୋଦୀ ପ୍ରଦର୍ଶନୀର ମଧ୍ୟ ନିରୀକ୍ଷଣ କରିଥିଲେ । ପ୍ରଦର୍ଶନୀରେ ମୋଦୀଙ୍କ ସମ୍ମୁଖରେ ହାଇ-ସିକ୍ୟୋରିଟୀ ରେଟ, ସାଇବର ଥ୍ରେଟ ଡିଟେକ୍ସନ ପ୍ଲାଟଫର୍ମ ଓ ଆମ୍ବୁପୋଡ଼ ଭଳି ୫ଜି ଟେକ୍ନୋଲୋଜୀକୁ ପ୍ରଦର୍ଶନ କରାଯାଇଥିଲା ।

ସୂଚନାଯୋଗ୍ୟ, ପ୍ରଥମ ଫେଜରେ ଭାରତର ୧୩ଟି ସହରରେ ୫ଜି ସେବାର ଶୁଭାରମ୍ଭ ହେଉଛି । ପ୍ରଥମ ଫେଜରେ ଅହମ୍ମଦାବାଦ, ବେଙ୍ଗଲୁରୁ, ଚଣ୍ଡୀଗଡ଼, ଚେନ୍ନାଇ, ଦିଲ୍ଲୀ, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଲଖନଊ, ମୁମ୍ବାଇ ଓ ପୁଣେରେ ୫ଜି ସେବା ଆରମ୍ଭ ହେବ । ଇତିମଧ୍ୟରେ ୨୦୨୩ ସୁଦ୍ଧା ସମଗ୍ର ଦେଶର କୋଣ ଅନୁକୋଣରେ ୫ଜି ସେବା ଉପଲବ୍ଧ ହେବ ବୋଲି ମୁକେଶ ଅମ୍ବାନୀ କହିଛନ୍ତି ।